Unknown

 

 

 

 

 

 

 

 

 

 

 

 

ଆଜିର ଏକାଙ୍କିକା

ଶ୍ରୀ କେଶବଚନ୍ଦ୍ର ମହାନ୍ତି

 

ସୂଚୀପତ୍ର

 

୧.

ମରୀଚିକାର ଢେଉ

୨.

ଭଙ୍ଗା ସଂସାର

୩.

ଡାୟମଣ୍ଡ ହାର

Image

 

ଭୂମିକାରେ

 

ମରୀଚିକାର ଢେଉ

ବିପିନ

ରେଭେନ୍ୟୁ ଅଫିସ୍‌ ହେଡ଼କ୍ଳର୍କ

ଯମୁନା

ବିପିନଙ୍କ ସ୍ତ୍ରୀ

ରାଧାଶ୍ୟାମ

ପୂର୍ତ୍ତବିଭାଗ କିରାନୀ

ନଳିନୀ

ରାଧାଶ୍ୟାମଙ୍କ ସ୍ତ୍ରୀ

ଡାକ୍ତର

ଚୌଧୁରୀ

ନରହରି

ଜଣେ ଗ୍ରାମବାସୀ

ଭଙ୍ଗା ସଂସାର

ମୋହନ

ମରୁଡ଼ିଗ୍ରସ୍ତ ସୁନାପଲ୍ଲୀର ବୃଦ୍ଧ

ଲକ୍ଷ୍ମୀ

ମୋହନଙ୍କର ୧୬ ବର୍ଷର ଝିଅ

ମକରା, ଶଙ୍କରା ଓ ଚକରା

ତିନି ଜଣ ଗ୍ରାମବାସୀ

ପୋଷ୍ଟମ୍ୟାନ

 

 

ଡାୟମଣ୍ଡ ହାର

ସୁକାନ୍ତ ବାବୁ

ତହସିଲଦାର

ସୁମିତ୍ରା

ସୁକାନ୍ତଙ୍କର ସ୍ତ୍ରୀ

ମହେନ୍ଦ୍ରନାଥ

ବି.ଡ଼ି.ଓ

ମନୋରମା

ମହେନ୍ଦ୍ରଙ୍କ ସ୍ତ୍ରୀ

ରାଧାଗୋବିନ୍ଦ ବାବୁ

ଷ୍ଟେନୋଗ୍ରାଫର

ଚାରୁ

ରାଧାଗୋବିନ୍ଦଙ୍କ ସ୍ତ୍ରୀ

ଦୀନୁ

ସୁକାନ୍ତଙ୍କର ଚାକର

Image

 

ମରୀଚିକାର ଢେଉ

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

[ବିପିନ ବାବୁଙ୍କ ଘର । ସମୟ-ପୂର୍ବାହ୍ନ ଦଶ ଘଣ୍ଟା । ବିପିନ ବାବୁ ରେଭେନ୍ୟୁ ଅଫିସ୍‌ର ହେଡ଼କ୍ଳର୍କ । ଅଫିସ ଯିବାକୁ ତରତର ହେଉଛନ୍ତି । ପରଦା ଉଠିବା ପରେ ଦେଖାଗଲା, ଗୋଟିଏ ହାତରେ ଛତା ଓ ଅନ୍ୟ ହାତରେ ଫାଇଲ୍‌ ଦୁଇ ତିନୋଟି ଧରି ସେ ଏପାଖ ସେପାଖ ହେଉଛନ୍ତି ।]

ବିପିନ

ହଇରେ, ଏ ଟୁନା ! ଏଇ ଟେବୁଲ ଉପରେ ମୋ ଚଷମାଟା ଥିଲା, କୁଆଡ଼େ କିଏ ରଖିଲ ? ଅଫିସ ବେଳ ହେଲାଣି । ମୁଁ ଅଫିସ ଯିବି ନା, ଏଠାରେ ବସି ଚଷମା ଖୋଜୁଥିବି !

ଟୁନା

ବାପା ! ମୁନା, କୁନା ଏଠାରେ ବସି ଖେଳୁଥିଲେ । ଦେଖୁନ, ଏ ଘରଯାକ କିମିତି ଛିଣ୍ଡା କାଗଜ, ମୁଢ଼ି, ଚିନାବାଦାମ ଚୋପା ଜମା କରିଛନ୍ତି ?

ବିପିନ

ତୁ ମନା କଲୁ ନାହିଁ ? ମାସକ ତଳେ ଥରେ ଚଷମାଟା ଭାଙ୍ଗିଲ ଯେ, ତିରିଶ ଟଙ୍କାରେ ପଡ଼ିଲି । ପୁଣି ଏଇଟା ବି ଭାଙ୍ଗ । ତୁମେସବୁ ତ ମଠରେ ଖାଉଚ, ଚାଉଳ ଦର ତୁମେ କ’ଣ ବୁଝିବ ? ଗୁଡ଼ିଏ ଅଜବ୍‌ ପିଲା କୋଉଠିକାର ! ପାଠଶାଠ ପଢ଼ିବେ କଣ, ସବୁବେଳେ ଖାଲି ଖେଳ, ତାମସା, ମରାମରି, ଧସ୍ତାଧସ୍ତି ଚଲେଇଛନ୍ତି ।

ମୁନା

(ପ୍ରବେଶ କରି) ବାପା ! ମୋ ପାଇଁ ଅଙ୍କ ବହିଟାଏ ଆଣି ଦେବାକୁ ତୁମକୁ ମାସେ ହେଲା କହିଲିଣି । ତୁମେ ମୋଟେ ଶୁଣନା । ମୁଁ ତେଣେ କ୍ଳାସରେ ସାର୍‌ଙ୍କଠାରୁ ମାଡ଼ ଗାଳି ଖାଉଚି । (କାନ୍ଦ କାନ୍ଦ ହୋଇ) ବାପା, ମୁଁ ଆଜିଠାରୁ ଆଉ କ୍ଳାସକୁ ଯିବିନି ।

ବିପିନ

ଏଁ, କ’ଣ କହିଲୁ ? କ୍ଳାସକୁ ଯିବୁନି ? ପାଠ ବହୁତ ହେଇଗଲା–ଯିବୁ କାହିଁକି ? କି ରେ, ସବୁ ବହି ତ ଆଣିଲି । ଅଙ୍କ ବହିଟାଏ ନାହିଁ ବୋଲି ଯିବୁନି ! ହଉ, ଏଥର ଦରମା ପାଇଲେ, ଆଗ ତୋ ବହିଟା କିଣିଲେ ପଛେ ଯାଇ ଅନ୍ୟ କୋଉ କଥା । ହଁ କହିଲୁ, ମୋ ଚଷମାଟା କିଏ ରଖିଚ ?

ମୁନା

ବାପା ! କୁନା ଆଉ ରୁନା ଚଷମାଟା ଲଗାଇ, ତୁମେ ଯେମିତି କଣେଇ କରି ଚାହିଁ ଫାଇଲପତ୍ର ଦେଖ, ସେମିତି ଏଠି ବସି ଫାଇଲପତ୍ର ଦେଖୁଥିଲେ–ତାଙ୍କୁ ପଚାର ।

ବିପିନ

(ହଠାତ୍‌ ପକେଟକୁ ଚାହିଁ) କି ରେ ରୁନା, କଲମଟା ମଧ୍ୟ ନାହିଁ ତ ? ତୁମେସବୁ ମତେ କାହିଁକି ଏମିତି ହଇରାଣ କରୁଚ ? ଆଉ କାହା ଘରେ ପିଲା ଅଛନ୍ତି ନା ତୁମେ ଖାଲି ଏ ଘରେ ପିଲାପଣିଆ ଦେଖେଇ ହଉଚ ?

ରୁନା

ବାପା, ମୁଁ ମୋଟେ କଲମ ଦେଖିନି ।

 

 

(ଏତିକିବେଳେ ଝୁନା ଓ ଭୁନା ଆସି ପହଞ୍ଚିଲେ)

ଭୁନା

(କାନ୍ଦି କାନ୍ଦି) ବାପା ! ମତେ ଝୁନାଭାଇ ମାଇଲା ।

ବିପିନ

ଭଲ କରିଚି, ବେଶ୍‌ କରିଚି । (ବିରକ୍ତ ହୋଇ) କି ରେ ଝୁନା, କାହିଁକି ତାକୁ ମାଇଲୁ ?

ଝୁନା

ନାଇଁ ବାପା, ମୁଁ ତାକୁ ମାରିନି । ଓଲଟି ସେ ମତେ ଚିମୁଟି ଚିମୁଟି କରି ତୁମ ପାଖରେ ଆସି କାନ୍ଦୁଚି । ଦେଖିଲ ବାପା, କେମିତି ମଳିଚମ ବାହାର କରି ଦେଇଚି !

 

 

(ଏତିକିବେଳେ ଛଅଟିଯାକ ପିଲା ଏକା ସଙ୍ଗେ ବିଭିନ୍ନ ଜିନିଷ ପାଇଁ ଅଳି କଲେ । କିଏ ବିସ୍କୁଟ ପାଇଁ, କିଏ ପ୍ୟାଣ୍ଟ ପାଇଁ, କିଏ ସାର୍ଟ ପାଇଁ, କିଏ ପେନ୍‌ସିଲ ପାଇଁ, କିଏ ଖେଳନା ପାଇଁ ତ ଆଉ କିଏ ଖାତା ପାଇଁ । ପିଲାଙ୍କ ପାଟିତୁଣ୍ଡ, ହୋ ହୋ ଶବ୍ଦ ଶୁଣି ଯମୁନା ଦେଈ ଆସି ପହଞ୍ଚିଲେ ।)

ଯମୁନା

ତୁମେ ଏ ଯାଏଁ ଅଫିସ ଯାଇନାହଁ ?

ବିପିନ

କିମିତି ଯିବି କହିଲ ? ଯାଇ ବା କ’ଣ କରିବି ? ଖୋଳରେ ଚଷମା ନାହିଁ କି ପକେଟରେ କଲମ ନାହିଁ । ଆଖି ଦୁଇଟାକୁ ଘରେ ଛାଡ଼ିଯାଇ ଅଫିସରେ ଖାଲି ଅଣ୍ଡାଳି ହେବି ସିନା !

ଯମୁନା

ମତେ ତା ହେଲେ କାହିଁକି ନ’ଟା ବେଳୁ ତରତର କରୁଥିଲ ? ମଣିଷ କାଳି-ଅନ୍ଧାରରୁ ଉଠି ସବୁ କାମ କରି କରି ମରୁଚି । ଆଠ ଦଶଟା ଛୁଆଙ୍କ ଜଞ୍ଜାଳ କଣ କମ୍‌ କଥା ! କେତେ କହିଲି, ଗୋଟେ କାହାକୁ ଆଣ-ମତେ କାମଦାମରେ ସାହାଯ୍ୟ କରିବ । ମୋଟେ ଶୁଣିଲନି । ତେଣେ ଦୁଇ ଦୁଇଟା ବାଧିକା ପଡ଼ିଛନ୍ତି । ତାଙ୍କ ପାଇଁ ବାର୍ଲି ବା ସାଗୁ ହେବ । ନାହିଁ, ନାହିଁ, ମୁଁ ଆଉ ପାରିବିନି ।

ବିପିନ

ତୁମେ ସମସ୍ତେ ମତେ ଏମିତି କାହିଁକି କଲବଲ କରୁଛ କହିଲ ? ଏ ଛୁଆସବୁ କିଏ କେତେ କ’ଣ ବରାଦ କରି ମୁହଁକୁ ଶୁଖାଇ ବସିଥିବା ବେଳେ, ତୁମେ ସେମାନଙ୍କ ସଙ୍ଗେ ମିଶି ଗୋଟେ କାହାକୁ ଆଣିବାକୁ ପୁଣି ବରାଦ କଲଣି । ଆଚ୍ଛା ଯମୁନା, ତୁମେ ତ ଜାଣ ନୂଆ ହାକିମଙ୍କ କଥା । ଟିକିଏ ଡେରି ହେଲେ ଦିନଯାକ ଚିଡ଼ି ଚିଡ଼ି ହେଉଥିବେ ।

ଯମୁନା

ମଲା, ମଲା, ଅଫିସର ହେଡ଼କ୍ଳର୍କ ତୁମେ । ତୁମଠି ଏତେ ନିଘା ଲାଗିଯାଇଛି କାହିଁକି ? ଆହୁରି ତ ବାର କି ତେର କିରାନୀ ଅଛନ୍ତି । ଦିନ ନ’ରୁ ଯାଇ ରାତିକୁ ଆସିବ । ସେଥିରେ ପୁଣି ହାକିମ ଚିଡ଼ି ଚିଡ଼ି !

ବିପିନ

ତୁମେ କ’ଣ ବୁଝିବ ଯମୁନା ଅଫିସ କଥା ? ହାକିମ ସିଏ । ଯାହା କହିବେ, ତାହା ନ କରିବାକୁ କଣ ଆମର ଚାରା ଅଛି ? ନ ହେଲେ ଅବସ୍ଥା ଶେଷ ହୋଇଯିବ ଯେ !

ଯମୁନା

କଅଣ ହେଇଯିବ ସେଇଠୁ ?

ବିପିନ

ବଦଳି, ବଦଳି । ଆଉ ଏ କଟକରେ ରହିବା କଥା ହବନି ।

ଯମୁନା

ମଲା ମୋର, ଭାସିଯିବ ସେଇଠୁ ? ଯୋଉଠିକି ଗଲେ ତ ଢିଙ୍କି ଧାନ କୁଟିବ ।

ଟୁନା, ମୁନା, କୁନା

ବାପା ! ତୁମର ବଦଳି ହେଇଗଲା ?

ବିପିନ

ଆରେ ନାହିଁ ମ, ମୋ ବଦଳି କିଏ କରିବ ?

ଟୁନା

ତୁମେ ଏଇନେ କହିଲ ଯେ !

ବିପିନ

ନାହିଁ ମ, କଥା ପଡ଼ିଥିଲା ଯେ କହୁଥିଲି ।

ଯମୁନା

ହଁ, ଟୁନା ! ତୁମେସବୁ ଯାଅ । ବେଳ ହେଲାଣି, ଖାଇପିଇ ସ୍କୁଲକୁ ଯିବ । ହେଇଟି ଚାହାଁ–ଭାତ, ଡାଲି, ତରକାରୀ ଅଲଗା ଅଲଗା ଡେକ୍‌ଚିରେ ଅଛି-। ନିଜେ ନିଜେ ବାଢ଼ି ଆଣିବ । ଯିଏ ଯେତିକି ଖାଇବ, ସେତିକି ଆଣିବ । ଅଯଥା କିଛି ଖଲିରେ ଛାଡ଼ି ନଷ୍ଟ କରିବ ନାହିଁ (ଛୁଆମାନେ ଚାଲିଗଲେ)

ବିପିନ

ତୁମେ ଗୋଟେ ବେଶ୍‌ ସୁବିଧା କରିଚ ତ ଯମୁନା ! ଭଲ ଭଲ । ପିଲାମାନେ କେବଠୁ ଏମିତି କରୁଚନ୍ତି ?

ଯମୁନା

ଏଇ ସପ୍ତାହେ ହେଲା ଆରମ୍ଭ କରିଚି । କେହି ତ କାହା ସାଙ୍ଗରେ ଖାଇବାକୁ ରାଜି ନୁହନ୍ତି, ଆଉ ଉପାୟ କଣ ? ଖଲିପତ୍ର ଓ ଗିନା ଥୁଆ ହୋଇଚି । ନିଜେ ବାଢ଼ି ଆଣିବେ ଓ ଖାଇବେ । ଯାହାର ଯେତିକି ଦରକାର, ସେ ଏବେ ଠିକ୍‌ ସେତିକି ଆଣୁଚନ୍ତି । ପ୍ରଥମ ଦିନେ ଦୁଇ ଦିନ ଜାଣି ପାରିଲେ ନାହିଁ । କମ୍‌ ବେଶି ଆଣି ଅସୁବିଧାରେ ପଡ଼ିଲେ; ମାତ୍ର ଏବେ ଆଉ ସେପରି ହେଉନି । ଠିକ୍‌ କଣ୍ଟିଲା ପରି ସେମାନେ ନିଜ ନିଜର ଭାତ, ଡାଲି ଆଣିପାରୁଛନ୍ତି ।

ବିପିନ

ଏ ବ୍ୟବସ୍ଥା ବାସ୍ତବରେ ଗୋଟିଏ ଉତ୍ତମ ବ୍ୟବସ୍ଥା ।

ଯମୁନା

ଛଅ ଛଅ ଜଣଙ୍କୁ ବଢ଼ାବଢ଼ି କରିବାରେ ମୁଁ ବିଶେଷ ହଇରାଣ ହେଉଥିଲି । ଏବେ ଆଉ ସେମିତି ଅସୁବିଧା ହେଉ ନାହିଁ । ରାନ୍ଧିବାଢ଼ି ଥୋଇଦେଲେ ଚଳିଲା । ଖାଲି ଖାଦ୍ୟଦ୍ରବ୍ୟ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ଟିକିଏ ନଜର ଦେବା କଥା ।

ବିପିନ

ଆଚ୍ଛା, ଏ ବ୍ୟବସ୍ଥା ପ୍ରଥମେ କିଏ ଚାଲୁ କଲା, ଶୁଣେ ? ବହୁ ଭାବିଚିନ୍ତି ସେ ଏହା କରିଛନ୍ତି ନିଶ୍ଚୟ ।

ଯମୁନା

ତୁମେ କାହିଁକି ଜାଣିବ ଏ ସବୁ ? ଭଲମନ୍ଦ ଦିନ ତୁମର ନାହିଁ କି ଛୁଟି–ଅଛୁଟି ମଧ୍ୟ ନାହିଁ । ଖା’ସେ ଧାଇଁବ ଅଫିସକୁ । ବନ୍ଧୁବାନ୍ଧବ କିଏ କେଉଁଠି ଅଛନ୍ତି–କାହା ଘରକୁ ଟିକିଏ ଯିବା, ଏ କଥା ନାହିଁ । ଏଇଠି ହରି ଭାଇ ଅଛନ୍ତି ଯେ, ତାଙ୍କ ଘରକୁ ଯିବାକୁ ମଧ୍ୟ ତୁମକୁ ଟିକିଏ ବେଳ ମିଳୁନି । ତୁମେ ଛୁଟିଦିନରେ ଅଫିସ ଧାଇଁଲେ, ମୁଁ ଧାଏଁ ଭାଇ ଘରକୁ । ଆମର ସିନା ଆଠୋଟି, ହେଲେ ତାଙ୍କର ସବୁତକ ଏଗାର । ତାଙ୍କ ଘରେ ଏହି ବ୍ୟବସ୍ଥା ଦେଖିଲି । ମନକୁ ଖୁବ୍‌ ପାଇଲା । ତେଣୁ ଆମ ଘରେ ସେହି ବ୍ୟବସ୍ଥା ଚାଲୁ କରିଦେଲି ।

ବିପିନ

ଯାହାହେଉ, ତୁମ ଭାଇ-ଭାଉଜ ପରିବାର ନିୟନ୍ତ୍ରଣ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁଛନ୍ତି । ତାଙ୍କୁ କହ, ଡଜନ ପୂରାଇ ଦିଅନ୍ତୁ । ଆଉ ଗୋଟେ ବାକି କାହିଁକି ?

ଯମୁନା

କେଡ଼େ ନିଲ୍ଲଜ ମ ତୁମେ ? ଚାଲୁଣୀ ଛୁଞ୍ଚିକୁ କହୁଚି କଣ ନା, ତୋର ଗୋଟେ ଜଳା ଅଛି । ନିଜର ସହସ୍ର ଜଳା କଥା ତୁମକୁ ଦେଖାଯାଉନି ! ହଜାରବାର ତୁମକୁ କହିଲିଣି–ଯାହା ହବାର ହେଇଗଲା, ଏଣିକି ଟିକିଏ ହୁସିଆର ରହ । ଟିକିଏ ଭଲା ମୋ କଥା ଶୁଣୁଛ ? ଦହଗଞ୍ଜ ହେଇ ମୁଁ ମରିଯାଉଚି । ରାତିରୁ ରାତିଯାଏଁ ଖଟି ଖଟି ମୋର କଣ୍ଟା ରହିଲାଣି । ମୋ ପ୍ରତି ତୁମର ଟିକିଏ ଦୟା ବିକଳ ଅଛି ? କ’ଣ ତୁମ ବିଚାର କେଜାଣି ? ମୁଁ ମରିଗଲେ ତ ତୁମକୁ ଭଲ ହବ !

ବିପିନ

ନା, ନା, ମରିବା ନାଁ ଧରନି ଯମୁନା, ସେ କଥା କହନି । ଆଉ ଯାହା କହିବ ପଛେ........

ଯମୁନା

ମୁଁ କିମିତି ବଞ୍ଚିବି, ତୁମେ କହୁନ ! ରୋଗ ତ ଏ ଘରେ ବସାବାନ୍ଧି ରହିଚି । ୟାକୁ ଜର ତ, ତାକୁ ମୁଣ୍ଡବଥା । କାହାର ଝାଡ଼ା ତ, ଆଉ କାହାର ପେଟମୋଡ଼ା । ରାତିତମାମ ଅନିଦ୍ରା । ଏଣେ ଦିନଯାକ କାମରେ ବିଶ୍ରାମ ନାହିଁ । ସବୁବେଳେ ଏପରି ଅଶାନ୍ତିରେ କେତେ କାଳ ଆଉ ବଞ୍ଚିବି ? ତୁମର ତୁମେ ଏଣିକି ଏ ଘର ସମ୍ଭାଳ ତୁମ ପିଲାଙ୍କୁ ନେଇ । ମୁଁ କିଛିଦିନ ପାଇଁ ଚାଲିଯାଉଚି ଭାଇ-ଭାଉଜଙ୍କ ପାଖକୁ ।

ବିପିନ

ହଁ, ହଁ, ଠିକ୍‌ ଜାଗାଟେ ବାଛିଚ । ତାଙ୍କର ତ ନମ୍ୱର ଲାଗିଛି–ଏକରୁ ଏଗାର ଯାଏ । ସେଇଠି ବହୁତ ସମୟ ମିଳିବ ବିଶ୍ରାମ ନେବାକୁ । ଯାଅ, ମୁଁ ମଧ୍ୟ ଗୋଟେ ସ୍ଥାନ ବାଛି ରଖିଛି ।

ଯମୁନା

ଏଁ, ତୁମେ ବି ଯିବ ?

ବିପିନ

ହଁ, ଗୋଟେ ମଠ ଯୋଗାଡ଼ କରିଚି । ଚାକିରୀ ବାକିରୀ ଛାଡ଼ି ସେଇଠି ବସିବି । ଅରୁଆ ଖାଇ, ଗେରୁଆ ପିନ୍ଧି, ଦିନରାତି ହରିନାମ ନେବି ।

ଯମୁନା

ଆଉ ପିଲାମାନେ ?

ବିପିନ

ପିଲାମାନେ ! ତାଙ୍କୁ ଆଉ ଗୋଟେ କୋଉଠିକି ପଠାଇ ଦେବା । ଏବେ ଏହି ସହରରେ ଗୋଟେ ଅନାଥାଶ୍ରମ ନୂଆ କରି ଖୋଲିଛି । ସେଠାକୁ ପଠାଇଦେଲେ କ’ଣ କ୍ଷତି ହେବ ?

ଯମୁନା

ମୁହଁକୁ ଲାଜ ଥିଲେ ତୁମେ ଏ କଥା କହନ୍ତ ? ମୋ ପିଲାମାନେ ଯିବେ ଅନାଥାଶ୍ରମକୁ ?

ବିପିନ

ଉପାୟ କ’ଣ ଅଛି କହୁନ ? ତୁମେ ତ ଯିବ ଭାଇଭାଉଜଙ୍କ ପାଖକୁ–ମୁଁ ଯିବି ମଠକୁ । ଆଉ ପିଲାଏ ସେଠାକୁ ନ ଯାଇ ଯିବେ କୁଆଡ଼େ ?

 

 

(ଏତିକିବେଳେ ପିଅନ ଶିବ ଆସି ପହଞ୍ଚଲା । ବଡ଼ ବାବୁ, ବଡ଼ ବାବୁ କହି ଭିତରକୁ ପଶିଆସିଲା । ତାକୁ ଦେଖି–)

ବିପିନ

କି ରେ ଶିବ ! କୁଆଡ଼େ ଆସିଲୁ ?

ଶିବ

ଆଜ୍ଞା, ସାହେବ ଆଜି ଟୁରରେ ଯିବେ । ଡକାଇ ପଠାଇଚନ୍ତି–ଶୀଘ୍ର ଆସନ୍ତୁ-

ବିପିନ

ହଁ, ହଁ, ତୁ ଚାଲ । ମୁଁ ସାଇକେଲରେ ଯାଉଚି । (ଯମୁନାଙ୍କ ଆଡ଼କୁ ଲକ୍ଷ୍ୟ କରି) ବୁଝିଲ ଯମୁନା, ମୁଁ ଚାଲିଲି ମଠକୁ । ଖାଲି ଗେରୁଆ କପଡ଼ା କେଇଖଣ୍ଡ, ରୁଦ୍ରାକ୍ଷ ମାଳିଟାଏ ଓ ପଡ଼ିଶା ଘରୁ ମାଗି ମିରିଗ ଛାଲଟି ପଠାଇଦେବ । (ବିପିନ ଚାଲିଗଲେ) ପରେ ପରେ ହସି ହସି ଯମୁନା ଦେଈ ଚାଲିଯାଉଥିବା ବେଳେ କହିଲେ–ଅଲାଜୁକ ମଣିଷ କୋଉଠିକାର !

 

 

(ପରଦା)

Image

 

ଦ୍ୱିତୀୟ ଦୃଶ୍ୟ

 

[ପୂର୍ବବିଭାଗ କିରାନୀ ରାଧାଶ୍ୟାମ ବାବୁଙ୍କ ଘରର ଅଳିନ୍ଦ–ତାଙ୍କର ବୟସ ପାଖାପାଖି ୪୫ । ସେ ଜଣେ ଅତି ନିରୀହ, ସରଳ ଓ ଅମାୟିକ ଲୋକ । ତାଙ୍କର ଦ୍ୱିତୀୟ ପକ୍ଷ ସ୍ତ୍ରୀ ନଳିନୀ ଘର କାମରେ ବ୍ୟସ୍ତ । ରାଧାଶ୍ୟାମ ବାବୁ ପିଲାମାନଙ୍କୁ ବିଭିନ୍ନ ଖେଳନା ସାହାଯ୍ୟରେ ଖେଳାଉଥିଲେ । ସାନ ଛୁଆ ଦୁଇଟିଙ୍କ ମଧ୍ୟରୁ ବଡ଼ଟିକୁ ୨ ବର୍ଷ ଓ ଅନ୍ୟଟିକୁ ୧ ବର୍ଷ । ଦୁଇଟିଯାକ ଛୁଆ କାନ୍ଦୁଥିଲେ । ତାଙ୍କୁ ସେ ଗୀତ ଗାଇ ବୋଧ କରୁଥିଲେ ।]

ରାଧାଶ୍ୟାମ

ଧୋ ରେ ବାଇଆ ଧୋ,

 

 

ଯାହା ବାଡ଼ିପଟେ ଗହଳ ମାଣ୍ଡିଆ

 

 

ତା ପଟାଳିରେ ଶୋ ।

 

 

ଦେଖରେ ବୁଢ଼ା ହାତୀ ଆସିଲା–ହେଇ ଘୋଡ଼ା ଆସିଲା ।

 

 

(ତଥାପି ପିଲାଙ୍କର କାନ୍ଦବୋବାଳି ବନ୍ଦ ହେଲା ନାହିଁ । ଆର ପାଖରୁ ନଳିନୀ ଦୌଡ଼ି ଆସିଲେ)

ନଳିନୀ

(ଛୋଟ ଛୁଆଟିକୁ କୋଳକୁ ଉଠାଇ ନେଇ) ମୋ ବାପାଟା ରେ-ମୋ ସୁନାଟା ରେ-ନାଇଁ, ନାଇଁ । (ପିଲାଟି ଚୁପ୍‌ ହୋଇଗଲା) ପିଲାକୁ ବୁଝାବୁଝି କରି ରଖିଲେ ହେବ ନା-ଖାଲି ଧୋ ରେ ବାୟା ଧୋ କରୁଥିବ ? ଥାଉ ଆଜି ରୋଷେଇବାସ ।

ରାଧାଶ୍ୟାମ

ନଳିନୀ ! ଆଜି ପରା କଣ୍ଟ୍ରାକ୍ଟରମାନଙ୍କର ଟେଣ୍ଡର ଗ୍ରହଣର ଶେଷ ତାରିଖ । ସାହେବ କହିଛନ୍ତି–ଘଣ୍ଟାଏ ଆଗରୁ ଅଫିସ ଯିବାକୁ । ମତେ ତାକୁ ଦେଇ ତୁମେ ଟିକିଏ ରୋଷେଇ ଗଣ୍ଡିକ ସାରିଦିଅ ।

ନଳିନୀ

ସକାଳ ପହରୁ ଛୁଆ ଦୁଇଟିଙ୍କୁ କନ୍ଦୋଉଚ । ଟିକିଏ ବୁଝାବୁଝି କରି ରଖିଲେ ସିନା ହବ !

ରାଧାଶ୍ୟାମ

ନଳିନୀ ! ତୁମେ ବୁଝୁନା କିଛି । ଛୁଆଙ୍କୁ ବୋଧ କରିବାକୁ ତୁମ ପାଖରେ ଅବ୍ୟର୍ଥ ଔଷଧ ଅଛି । ତା ସାଙ୍ଗକୁ ଅଛି ତୁମର ଅସୀମ ଧୈର୍ଯ୍ୟ, ଅଲୌକିକ ଶକ୍ତି ଓ ଅପର୍ଯ୍ୟାପ୍ତ ବାତ୍ସଲ୍ୟ ମମତା । ସେଥିପାଇଁ ତୁମେ ନାରୀ ଓ ମୁଁ ପୁରୁଷ ।

ନଳିନୀ

ରଖ, ରଖ, ତୁମ ପୁରୁଷପଣିଆ । ମୋ କପାଳକୁ ତ ସବୁ ସେମିତି ହେଇଚି । ଲୋକ ଅଛନ୍ତି ଯେ–ସବୁ କାମ କରୁଚନ୍ତି । ରୋଷେଇ କରି, ଛୁଆପିଲାଙ୍କ ଜଞ୍ଜାଳ ବୁଝି, ଅଫିସ ଯାଇ, କାହିଁରୁ କେତେ କ’ଣ !

ରାଧାଶ୍ୟାମ

ହଁ ନଳିନୀ, ତୁମେ ଠିକ୍‌ କହିଛ । ମତେ ଯଦି କୌଣସି ମତେ ତୁମେ ଆମେରିକା ପଠାଇ ଦିଅନ୍ତ ନା, ତେବେ ସବୁ ସୁବିଧା ହୋଇ ପାରନ୍ତା ।

ନଳିନୀ

ଆମେରିକାରୁ କ’ଣ ଏ ସବୁ ଶିଖି କରି ଆସନ୍ତ ?

ରାଧାଶ୍ୟାମ

ନାହିଁ ନଳିନୀ, ଶିଖିବା କଥା ନାହିଁ । ମୁଁ ସେଠାରୁ ଫେରିବା ପରେ ତୁମେ ମତେ ଆଉ ଚିହ୍ନିପାରନ୍ତ ନାହିଁ–ମୁଁ ପୁରୁଷ କି ସ୍ତ୍ରୀ । ପୁରୁଷକୁ ନାରୀ କରିବାରେ ସେଠା ଚିକିତ୍ସକ ଯେପରି ଦକ୍ଷ ନା, ମତେ ଠିକ୍‌ ତୁମ ପରି–ନା, ନା, ତୁମଠାରୁ ଆହୁରି ଏକ ଆହୁରି ଏକ ସୁନ୍ଦରୀ ନାରୀ କରି ଦିଅନ୍ତେ-। ମୁଁ ଏଠାକୁ ଫେରିବା ପରେ ତୁମ ପାଖରେ ତୁମ କାମଦାମ କରିବାରେ ଆଦୌ ଅନ୍‌ଫିଟ୍‌ ହୁଅନ୍ତି ନାହିଁ ।

ନଳିନୀ

ଆଲୋ ମୋ ମା ! ନାଇଁ, ନାଇଁ, ତୁମେ ଆମେରିକା ଯାଇ ସେ ଚିକିତ୍ସକମାନଙ୍କ ସହିତ ଆଦୌ ପରାମର୍ଶ କର ନାହିଁ । ବଡ଼ ବିପଜ୍ଜନକ ସେ ଲୋକଗୁଡ଼ାକ । ବାଘ, ଭାଲୁ ଓ ସାପଙ୍କଠାରୁ ବି ଅଧିକ ଭୟଙ୍କର । ସେ ଦେଶରେ କ’ଣ ଏମିତି କେତେ ପୁରୁଷତ୍ୱ ହରାଇଲେଣି ?

ରାଧାଶ୍ୟାମ

ଶହ ଶହ, ନଳିନୀ ! ଶହ ଶହ ।

ନଳିନୀ

ଏଁ ଶହ ଶହ ! ତୁମେ ସେଠାକୁ ଯିବା ଦରକାର ନାହିଁ କି ଅଡ଼ୁଆରେ ପଶିବା ଆବଶ୍ୟକ ନାହିଁ । ଏଣିକି ଯେତେ କଷ୍ଟ ହେଉ ପଛେ, ମୁଁ ସବୁ କାମ ତୁଲାଇ ନେଉଥିବି ।

 

 

(ଏତିକିବେଳେ ଦାଣ୍ଡ କବାଟରେ ଠକ୍‌ ଠକ୍‌ ଶବ୍ଦ ଶୁଣାଗଲା । ରାଧାଶ୍ୟାମ ଦୁଆର ଖୋଲିଲେ ଓ ବିପିନ ବାବୁଙ୍କୁ ଘର ଭିତରକୁ ଡାକି ଆଣିଲେ ।)

ବିପିନ

ରାଧାଶ୍ୟାମ ବାବୁ, ସବୁ ଭଲ ତ ? ପିଲାମାନେ କିପରି ଅଛନ୍ତି ?

ରାଧାଶ୍ୟାମ

ହଁ, ଏକ ପ୍ରକାର । କେତେବେଳେ ଯେ କାହାର କ’ଣ ହେଉଛି, କୋଉ ଠିକଣା ଅଛି ? ଆପଣଙ୍କର ସବୁ କୁଶଳ ତ ?

ବିପିନ

ମୋ ଭଲମନ୍ଦ ଖବର କ’ଣ ପଚାରୁଛ ? ଭଲ ଶବ୍ଦଟି ମୋ ଭାଗ୍ୟରେ କେତେବେଳେ ନାହିଁ । ମୋ କପାଳରେ ସବୁବେଳେ ଖାଲି ମନ୍ଦ ଲେଖା ଅଛି । କିପରି ଏକ କୁ-ଲକ୍ଷଣରେ ମୁଁ ଘରସଂସାର ଆରମ୍ଭ କଲି ଯେ, ସର୍ବଦା ଅଭାବ, ଅନାଟନ ଓ ଅବ୍ୟବସ୍ଥା ଲାଗିରହିଛି । ପାରିବାରିକ ଅଶାନ୍ତି ସାଙ୍ଗକୁ ଅଫିସରଙ୍କର ହାକିମୀ ଓ କାମରେ ଖଟାଇ ଖଟାଇ ମାରିବା ମନୋବୃତ୍ତି ମତେ ବଡ଼ ବ୍ୟତିବ୍ୟସ୍ତ କରି ପକାଇଲାଣି । ବୁଝିଲ ରାଧାଶ୍ୟାମ, ଆଠୋଟି ଛୁଆ । ଏ ମହଙ୍ଗା ଯୁଗରେ ଦୁଇ ଶହ ଟଙ୍କା ମାତ୍ର ଦରମା ପାଇ କିମିତି ଚଳୁଚି, ମୁଁ ଜାଣେ । ଘରେ, ବାହାରେ, ଅଫିସରେ କୌଣସିଠାରେ ମୋର ଟିକିଏ ହେଲେ ଶାନ୍ତି ନାହିଁ । ସର୍ବତ୍ର ଅଶାନ୍ତି ଭିତରେ ମୋ ମୁଣ୍ଡ ପୂରା ବିଗିଡ଼ିଗଲାଣି ।

ରାଧାଶ୍ୟାମ

ଆପଣଙ୍କୁ ଦେଖିଲାକ୍ଷଣି ଅବଶ୍ୟ ତାହା ସ୍ପଷ୍ଟ ଜଣାପଡ଼ୁଛି । ଆପଣଙ୍କ ସ୍ୱାସ୍ଥ୍ୟର ଏତେ ଅବନତି ହୋଇଛି ଯେ, ମୁଁ ପ୍ରଥମେ ଆପଣଙ୍କୁ ଚିହ୍ନି ପାରିଲି ନାହିଁ ।

ବିପିନ

ନ ହେବ କିମିତି କହୁନ ରାଧାଶ୍ୟାମ ! କୌଣସି ଦିନ ରାତିରେ ମୁଁ ଟିକିଏ ନିଶ୍ଚିନ୍ତରେ ଶୋଇପାରୁନି । ଖାଇବା ପିଇବା ଠିକଣା ନାହିଁ । ସେମାନଙ୍କ ମୁହଁରୁ ବଳିଲେ ତ ଆମ ପାଟିକୁ ଆସିବ ! ଆଠ ଆଠୋଟି ଛୁଆ । ପାଳି କଲା ପରି ଗୋଟିକ ପରେ ଗୋଟିଏ ଛୁଆ, କେତେବେଳେ ବା ଏକା ସଙ୍ଗରେ ଦୁଇ ଦୁଇଟି ବେମାର ପଡ଼ି ଯାଉଛନ୍ତି । ସେତେବେଳର ଦୁରବସ୍ଥା କଣ କହିବି ? ରାତିଯାକ ବସି ଜାଗର ଜାଳିବା କଥା । ମୋ ଦୁଃଖର ସୀମା ନାହିଁ, ରାଧାଶ୍ୟାମ ବାବୁ ! ସବୁବେଳେ ବାକିରେ ଚାଲିଛି । ପ୍ରାୟ ହଜାର ଯାଏ କରଜ । ପରିଶୋଧର ଉପାୟ ନାହିଁ । ହୁ ହୁ ହୋଇ ବଜାର ଦର ଯେମିତି ତେଜିବାରେ ଲାଗିଛି, ସେଥିରେ ଆମ ପରି ମଝି ମଝିଆ କେବଳ ହନ୍ତସନ୍ତ ହେଉଚନ୍ତି । ରୋକଡ଼ ପଇସା ଗଣି, ନିରୋଳା ଜିନିଷ ଟିକିଏ କ’ଣ ମିଳୁଚି !

ରାଧାଶ୍ୟାମ

ନିରୋଳା ଜିନିଷ ଆଜ୍ଞା ସ୍ୱପ୍ନ ହେଲାଣି । ପାଣି, ପବନ ଓ ଆଲୁଅକୁ ଛାଡ଼ିଦେଲେ, ମୋର ଯାହା ମନେହେଉଛିସବୁ ଖାଲି ଭେଜାଲ ।

ବିପିନ

ଏତେ ରୋଗ ଆଉ ସୃଷ୍ଟି ହେବାର କାରଣ କ’ଣ କି ? ଏହି ଭେଜାଲ ଜିନିଷ ସବୁ ବେମାରୀର ମୂଳ । ଆମ ପିଲାବେଳେ ଏତେ କିସମର ରୋଗ ନ ଥିଲା, କି ଏତେ ବୈଦ୍ୟ, କବିରାଜ ଓ ଡାକ୍ତର ନ ଥିଲେ । ଏବକୁ ରୋଗ ଯେତେ, ବଟିକା ସେତେ ଏବଂ ତାକୁ ଚାହିଁ ଚିକିତ୍ସକ । ଚାଉଳ, ଅଟା, ତେଲ, ଘିଅ ଆଉ ମସଲା ମସଲି–ଯାହାକୁ ଛାଡ଼ି ଗୋଟେ ଓଳି ଆମେ ଚଳିପାରିବାନି, ସେ ସବୁ ଖାଲି ମିଶା । ସବୁ ଭେଜାଲ । ମନେହେଉଛି, ଏଇଟା ଯେମିତି ଗୋଟେ ଭେଜାଲ ଯୁଗ । ଆମ ପିଲାସବୁ କିମିତି ଭଲ ରହିବେ କୁହନ୍ତୁ ତ ଏ ସବୁ ଅପମିଶ୍ରିତ ଜିନିଷ ଭିତରେ ? ସେଥିପାଇଁ ଛଅ ଦିନକୁ ନଅ ରୋଗ, କବିରାଜଙ୍କୁ ପଇସା ଯୋଗ । ମନରେ ଶାନ୍ତି ନାହିଁ, କାମରେ ସରାଗ ନାହିଁ କି ଜୀବନ ପ୍ରତି ମଧ୍ୟ ଆସ୍ଥା ନାହିଁ ।

ରାଧାଶ୍ୟାମ

ବୁଝିଲେ ବିପିନ ବାବୁ ! ଦରମାତକ ପାଇ ଅଫିସରୁ ଘରକୁ ଫେରିଲା ବେଳେ ବାଟରୁ ହିଁ ସବୁ ଶେଷ । ଶୂନ୍ୟ ପକେଟରେ ଘରକୁ ଫେରି, ଶୁଖିଲା ମୁହଁରେ ଖାଲି ହିସାବଟା ବୁଝାଇଦେବା କଥା । ତେଣିକି ଯେଉଁ ଉଧାରକୁ ସେହି ଉଧାର । ଗଧ ପରି ଖଟି ଖଟି ମରିବା କେବଳ ସାର ହେଉଛି । ଆମେ ତ ନିଜେ ଅର୍ଜନ କରିଛେ, ଆଉ ଭୋଗିବ କିଏ ?

ବିପିନ

କଥାଟା ଆପଣ ଠିକ୍‌ ବୁଝିଛନ୍ତି । ଆମରି ଅଫିସରେ ଲୋକ ଅଛନ୍ତି, ଯେଉଁମାନେ କି ଆମଠାରୁ କମ୍‌ ଦରମା ପାଇ ସୁରୁଖୁରୁରେ ଚଳି ଯାଉଛନ୍ତି । ସେମାନଙ୍କର ପରିବାର ଆମ ପରିବାରଠାରୁ ଛୋଟ । ପରିବାର ଯେତେ ଛୋଟ ହେବ, ତାହାର ସୁଖ ଓ ସମୃଦ୍ଧି ସେତେ ଅଧିକ ହେବ । ତେଣୁ ଛୋଟ ପରିବାର ହିଁ ବାସ୍ତବରେ ସୁଖୀ ପରିବାର । ମୋ ପରିବାର ଏକ୍ଷଣି ଦଶଜଣଙ୍କୁ ନେଇ ଗଢ଼ା । ମୁଁ ମାସରେ ଦରମା ପାଉଥିବା ଦୁଇ ଶହ ଟଙ୍କା ଏହି ଦଶଜଣଙ୍କ ପାଇଁ ଖର୍ଚ୍ଚ କରୁଛି । ତେଣୁ ଜଣପିଛା ମାସକୁ କୋଡ଼ିଏଟି ଟଙ୍କା ପଡ଼ିଲା । ମାତ୍ର ଚାରିଜଣିଆ ପରିବାର ହୋଇଥିଲେ, ମୁଁ ହୁଏତ ମାସକୁ ପଚାଶ ଟଙ୍କା ଖର୍ଚ୍ଚ କରି ପାରୁଥାନ୍ତି ।

ରାଧାଶ୍ୟାମ

କୋଡ଼ିଏ ଟଙ୍କା ଜାଗାରେ ପଚାଶ ଟଙ୍କା–ଅଢ଼େଇ ଗୁଣ ହେଲା । ତାଳ ତିଳ ତଫାତ୍‌ । ଆପଣ ଯାହା କହନ୍ତୁ ବିପିନ ବାବୁ, ଯୋ ଦିଲ୍ଲୀକା ଲଡ଼ୁ ଖାୟା, ଓ ପସ୍ତାୟା ଯୋ ନେହିଁ ଖାୟା ଓ ଭି ପସ୍ତାୟା । ଲଡ଼ୁ ଖଟା କି ମିଠା, ଲୁଣି ନା ଅଲଣା–ବେଶ୍‌ ଚଖା ସରିଲାଣି । ଆଉ ବେଳ ନାହିଁ । ନେଡ଼ି ଗୁଡ଼ କହୁଣୀକୁ ବୋହିଗଲାଣି ।

ବିପିନ

ମୋ ପରିବାରର ଦୁରବସ୍ଥା ପାଇଁ ମୁଁ କେବଳ ଦାୟୀ । ପଞ୍ଚମ ସନ୍ତାନ ପରେ ମୋ ମୁଣ୍ଡରେ ଚେତା ପଶିଲା । ଗୋଟିଏ ଝିଅ ଆଶାରେ ପରିବାର କ୍ରମେ ବଢ଼ିବାରେ ଲାଗିଲା । ମୋ ସ୍ତ୍ରୀଙ୍କର ବାରଣ ସତ୍ତ୍ୱେ ମୁଁ ଆଶାୟୀ ହୋଇ ରହିଲି ଗୋଟିଏ କନ୍ୟା ପାଇଁ । କନ୍ୟାଦାନ ମହାପୁଣ୍ୟ ଏହି ଆଶାରେ ରହି ମୁଁ ଏବେ ଭାସିଯାଉଛି ।

ରାଧାଶ୍ୟାମ

ଅନୁଶୋଚନା ଓ ଅନୁତାପ ହିଁ ଆତ୍ମକୃତ ପାପର ପ୍ରାୟଶ୍ଚିତ୍ତ । ଆମକୁ ଏ ପାପର ପ୍ରାୟଶ୍ଚିତ ଯଥାଶୀଘ୍ର କରିବାକୁ ହେବ । ସନ୍ତାନ ଈଶ୍ୱରଙ୍କର ଦାନ–ଏ କଥା ଆଉ କହିବାର ସମୟ ନାହିଁ । ଏ ଜଞ୍ଜାଳରୁ ଯଥାଶୀଘ୍ର ମୁକ୍ତ ହେବାକୁ ମୁଁ ଦୃଢ଼ସଂକଳ୍ପ କରିଛି । ଆସନ୍ତା କାଲିଠାରୁ ଏ ବର୍ଷର ପରିବାର ନିୟନ୍ତ୍ରଣ ପକ୍ଷ ପାଳିତ ହେବ । ଏ ଯୋଜନାକୁ ସଫଳ କରିବା ପାଇଁ, ଏ କେନ୍ଦ୍ରରେ ମୁଁ ହେବି ପ୍ରଥମ ବ୍ୟକ୍ତି ।

ବିପିନ

ନା–ନା–ରାଧାଶ୍ୟାମ ବାବୁ ! ସର୍ବାଧିକ ସନ୍ତାନଙ୍କର ପିତା ରୂପେ ଅନ୍ତତଃ ତାଲିକାର ଆଦ୍ୟରେ ମୋ ନାଁ ରହିବା ଉଚିତ ।

 

 

(ପରଦା)

Image

 

ତୃତୀୟ ଦୃଶ୍ୟ

 

[ଏକ ପରିବାର ନିୟନ୍ତ୍ରଣ କେନ୍ଦ୍ର । ପରିବାର ନିୟନ୍ତ୍ରଣ ପକ୍ଷ ପାଳନ ଉପଲକ୍ଷେ ସ୍ଥାନଟି ସୁସଜ୍ଜିତ । ‘ଦୁଇଟି ସନ୍ତାନ ଯଥେଷ୍ଟ’ ‘ଛୋଟ ପରିବାର ସୁଖୀ ପରିବାର’, ‘ସୁଖ ଓ ସମୃଦ୍ଧି ପାଇଁ ପରିବାର ନିୟନ୍ତ୍ରଣ କରନ୍ତୁ’ ଇତ୍ୟାଦି ଅନେକଗୁଡ଼ିଏ ଚାର୍ଟ ଓ ମଟୋ ଟଙ୍ଗାଯାଇଛି ।

ଏ ପକ୍ଷର ସଫଳତା ଉଦ୍ଦେଶ୍ୟରେ କେତେକ ଲୋକ ରୁଣ୍ଡ ହୋଇଛନ୍ତି । ପରଦା ଉଠିବା ପରେ ଦେଖାଗଲା–ଡାକ୍ତର ରଜନୀକାନ୍ତ ଚୌଧୁରୀ ବସିଛନ୍ତି । ସାମନାରେ ଗୋଟେ ବଡ଼ ଟେବୁଲ । ତା ଉପରେ ବିଭିନ୍ନ ଯନ୍ତ୍ରପାତି ଥୁଆ ହୋଇଛି । ଡାକ୍ତର ଚୌଧୁରୀ ଅପରେସନ୍‌ ଉଦ୍ଦେଶ୍ୟରେ ଆସିଥିବା ଲୋକମାନଙ୍କର ତାଲିକାକୁ ଦେଖୁଥିଲେ । ସେମାନଙ୍କ ମଧ୍ୟରୁ ସର୍ବାଧିକ ସନ୍ତାନଙ୍କର ପିତା ରୂପେ ବିପିନ ବିହାରୀ ବସ୍ତିଆଙ୍କୁ ପାଖକୁ ଡାକିଲେ ।]

ଡାକ୍ତର

ଓ, ଆପଣ ତା ହେଲେ ବିପିନ ବାବୁ ?

ବିପିନ

ଆଜ୍ଞା, ହଁ ।

ଡାକ୍ତର

ଆପଣ କେଉଁ ଅଫିସରେ କାମ କରନ୍ତି ?

ବିପିନ

ଆଜ୍ଞା, ଏଇ ସଦର ରେଭେନ୍ୟୁ ଅଫିସ୍‌ର ମୁଁ ହେଡ଼୍‌କ୍ଳର୍କ ।

ଡାକ୍ତର

ଆପଣଙ୍କର ମାସିକ ଦରମା କେତେ ?

ବିପିନ

ଦୁଇ ଶହ ଟଙ୍କା ଆଜ୍ଞା । ଆମର ଗହଳି କୁଟୁମ୍ୱକୁ ଚାହିଁ ଏ ଟଙ୍କା କିଛି ନୁହେଁ । ତତଲା ଖପରା ଆଜ୍ଞା–ପାଣି ପଡ଼ିଲେ ସେଁ କିନା ସବୁ ଶେଷ ।

ଡାକ୍ତର

ବିପଦ ଆପଦକୁ ତ ଆମର କିଛି ସଞ୍ଚୟ ଦରକାର ! ସେ ବାବଦରେ ଆପଣଙ୍କ ସଞ୍ଚିତ ପାଣ୍ଠି ଅନ୍ତତଃ କେତେ ହେବ, ଅନୁଗ୍ରହ କରି ମୋତେ କହିପାରିବେ କି ? କିଛି ଭାବନ୍ତୁନି । ବନ୍ଧୁ ହିସାବରେ ମୋର ବଡ଼ ଆଗ୍ରହ ହେଉଛି ଏ ସବୁ କଥା ଟିକିଏ ଜାଣିବା ପାଇଁ ।

ବିପିନ

ଆଜ୍ଞା, ସଞ୍ଚୟ ! କହିଲି ପରା ତତଲା ଖପରା ! ଓଲଟି ଦୁଇ ହଜାର ଯାଏ କରଜ । ତାକୁ କିପରି ଶୁଝିବି, ସେ କଥା ଚିନ୍ତା କରି ରାତିରେ ମୋତେ ନିଦ ନାହିଁ । ନାନା ଦୁଶ୍ଚିନ୍ତା ଯୋଗୁଁ ମୁଁ ମୋ ଛୁଆଙ୍କ ପରି ମଧ୍ୟ ସର୍ବଦା ଅସୁସ୍ଥ ହୋଇପଡ଼ୁଛି । କଣ କରିବି ଆଜ୍ଞା, ଅହରହ ଦରିଦ୍ର ପଞ୍ଚାକ୍ଷର ଜପୁଛି । ଅନନ୍ତ ବାରିଧିର ଅକାତକାତ ଜଳରେ ଆଶ୍ରୟବିହୀନ ହୋଇ ମୁଁ ଭାସୁଛି । ରକ୍ଷା ପାଇବାରେ ରାହା ପାଉନି । କେତେବେଳେ ଯେ ଏ ଜୀବନ-ଦୀପଟି ତେଲ ବିନା ଲିଭିଯିବ......

ଡାକ୍ତର

ଆପଣ ଏପରି ଭାଙ୍ଗିପଡ଼ନ୍ତୁନି । ବହୁ ସନ୍ତାନର ପିତା ହେବା ଏ ଯୁଗରେ ଏକ ଅଭିଶାପ ।

ବିପିନ

ଜୀବନ୍ତ ମରଣ ଆଜ୍ଞା ! ସବୁବେଳେ ଖାଲି କ୍ରନ୍ଦନ, କୋଳାହଳ ଆଉ ଆର୍ତ୍ତନାଦ । ସତେ ଯେପରି ଘଡ଼ଘଡ଼ି ଚଡ଼ଚଡ଼ି ଆକାଶରୁ ଓହ୍ଳାଇ ଆସି ମୋ ଘରେ ବସା ବାନ୍ଧିଛନ୍ତି ! ବହୁ ଆଗରୁ ମୋର ସତର୍କ ହେବା ଉଚିତ ଥିଲା । ମୁଁ ମୋ ସହଧର୍ମିଣୀଙ୍କର ଅନୁରୋଧ ତଥା ଅନୁନୟ ବାରମ୍ୱାର ପ୍ରତ୍ୟାଖ୍ୟାନ କରି ଆସିଛି । ତେଣୁ ଏହାର କୁ-ପରିଣାମ ଏବେ ମୋତେ ଭୋଗିବାକୁ ପଡ଼ୁଛି ।

ଡାକ୍ତର

ଆପଣଙ୍କ ଅନୁତାପ ପାଇଁ ଅଶେଷ ଧନ୍ୟବାଦ । (ସମସ୍ତଙ୍କ ଆଡ଼କୁ ଲକ୍ଷ୍ୟ କରି) ଆପଣମାନେ ବିପିନବାବୁଙ୍କଠାରୁ ଅନେକ କଥା ଶୁଣିଲେ । ଗହଳ କୁଟୁମ୍ୱ ଯୋଗୁ ଅଙ୍ଗେ ନିଭାଇଥିବା ବହୁ କଥା ସେ ଆପଣମାନଙ୍କୁ ଶୁଣାଇଲେ-। ବର୍ତ୍ତମାନ ଅସ୍ତ୍ରୋପଚାର ସମୟ ହୋଇଯାଇଛି । ମୁଁ ଅପରେସନ୍‌ ଥିଏଟରକୁ ଯାଉଛି । ନାମ ଡକାଗଲା ମାତ୍ରେ ଆପଣମାନେ ଜଣକ ପରେ ଜଣେ ଯିବାକୁ ମୁଁ ଅନୁରୋଧ କରୁଛି ।

 

 

(ଠିକ୍‌ ପରେ ପରେ ଜଣେ ପିଅନ ବିପିନବାବୁଙ୍କୁ ଭିତରକୁ ଡାକି ନେଇଗଲା । ପାଞ୍ଚ ସାତ ମିନିଟ ମଧ୍ୟରେ ବିପିନବାବୁ ଅପରେସନ୍‌ ଶେଷରେ ଫେରିଆସି ଗୋଟିଏ ଚୌକିରେ ବସିବାକୁ ଯିବାବେଳେ ତାଙ୍କର ପଡ଼ୋଶୀ ନରହରି ବାବୁ ପଶିଆସିଲେ ।)

ନରହରି

ଆପଣଙ୍କର ଅପରେସନ୍‌ ଶେଷ ହୋଇଯାଇଛି ବୋଧହୁଏ ? ମୁଁ ସିଧା ସିଧା ଗାଁରୁ ଆସୁଛି । ଏହି ଅଧଘଣ୍ଟାକ ତଳେ ଆପଣଙ୍କର ପୁଣି ଗୋଟିଏ ପୁଅ ହୋଇଛି ।

ବିପିନ

(ହତାଶ ହୋଇ) ଆପଣ ଠିକ୍‌ କହୁଛନ୍ତି ? ପିପାସିତ ମୃଗ ମରୀଚିକାର ଢେଉରେ ଆତ୍ମହରା ହୋଇ, ନିଜର ତୃଷା ମେଣ୍ଟାଇବାକୁ ଧାଇଁ ଧାଇଁ ଯେପରି ନିରାଶ ହୁଏ, ସେହିପରି ମୋର ପିତୃତ୍ୱର ପରିପୂର୍ଣ୍ଣତା ପାଇଁ ଏକ କନ୍ୟା ଆଶାରେ ପରିବାରର ଜଞ୍ଜାଳକୁ ବହୁଗୁଣିତ କରି ମୁଁ ଶେଷରେ ନିରାଶ ହୋଇଛି । ଆଶା ମରୀଚିକାର ଢେଉ ମୋତେ ଉଦ୍‌ଭ୍ରାନ୍ତ କରିଛି–ମୋତେ ପଥଭ୍ରଷ୍ଟ କରିଛି । (ପରଦା)

 

ଭଙ୍ଗା ସଂସାର

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

[କଳାହାଣ୍ଡି ଜିଲ୍ଲାର ମରୁଡ଼ିଗ୍ରସ୍ତ ଏକ ମଫସଲ ଗାଁ-ସୁନାପଲ୍ଲୀ । ବହୁ ଆଗରୁ ସେ ଅଞ୍ଚଳରେ ସୁନା ଫଳୁଥିଲା । ସବୁଜ ଶସ୍ୟକ୍ଷେତରେ ସୁନାର ଲହଡ଼ି ଖେଳୁଥିଲା । କ୍ରମାଗତ ତିନି ତିନି ବର୍ଷ ମରୁଡ଼ି ଫଳରେ ଗାଁ ଶ୍ରୀହୀନ ହୋଇପଡ଼ିଛି । ଖାଇବାକୁ ପିଇବାକୁ ନ ପାଇ ଗ୍ରାମବାସୀ କିଏ କୁଆଡ଼େ ଚାଲି ଯାଇଛନ୍ତି । କେତେକ ଚିରଦିନ ପାଇଁ ବିଦାୟ ନେଇଛନ୍ତି । ଗାଁର ମୁଖିଆ ମୋହନ ଜେନା ସାତପୁରୁଷର ଭିଟାମାଟି ଛାଡ଼ି ଯାଇ ପାରିନି । ଅନେକ ଦିନ ଅନାହାର ଫଳରେ ସେ ରୋଗଗ୍ରସ୍ତ ହୋଇପଡ଼ିଛି । ପରଦା ଉଠିବା ପରେ ଦେଖାଗଲା–ମୋହନ ଏକ ଛିଣ୍ଡା ମସିଣାରେ ଅସୁସ୍ଥାବସ୍ଥାରେ ଶୋଇଛି–ପାଖରେ ବସି ଦେହ ହାତ ଆଉଁସି ଦେଉଛି ତାର ୧୬ ବର୍ଷର ଝିଅ–ଲକ୍ଷ୍ମୀ ।]

ଲକ୍ଷ୍ମୀ

ବାପା ! ଦେହ କିମିତି ଲାଗୁଛି ? (ପାଖରେ ଥିବା ଔଷଧ ଶିଶିକୁ ଉଠାଇବାକୁ ଉଦ୍ୟତ) ଔଷଧ ଖାଇବା ସମୟ ହୋଇଗଲାଣି, ଟିକିଏ ଖାଇଦିଅ ।

ମୋହନ

ନା ମା, ମୋତେ ତୁ ଆଉ କୌଣସି ଔଷଧ ଦେବା ଦରକାର ନାହିଁ । ଏ ଭଙ୍ଗା ଦେହ, ଭଙ୍ଗା ମନ ଆଉ ଭଙ୍ଗା ସଂସାରକୁ ନେଇ ମୁଁ ବଞ୍ଚିରହିବାକୁ ଇଚ୍ଛା କରୁନାହିଁ । ମାଆ ! ମୋର ମୁକ୍ତି ଦରକାର । ତୁ ମୋତେ ମୁକ୍ତି ଦେଇ ପାରିବୁନି ମା ?

ଲକ୍ଷ୍ମୀ

ଡାକ୍ତର ବାବୁ କହି ଯାଇଛନ୍ତି, ଏ ଔଷଧଟା ଶେଷ ହେଲା ବେଳକୁ ତୁମେ ନିଶ୍ଚୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବ । ସେ ପରା ଆଶା ଦେଇଛନ୍ତି ବାପା ! ମୋ ନିଃଶ୍ୱାସରୁ ତୁମେ ପୁଣି ତୁମର ପୂର୍ବ ସ୍ୱାସ୍ଥ୍ୟ ଫେରି ପାଇବ । ହଁ, ଟିକିଏ ଆଁ କରିଦେଲ !

ମୋହନ

ସଂସାରରେ ବଞ୍ଚି ରହିବାର ଲାଳସା ଆଉ ମୋର ନାହିଁ । ମୋର ଆଖି ଆଗରେ ତୋ ମାଆ ଚାଲିଗଲା । ଗଛ ପରି ଭେଣ୍ଡା ଭାଇଟା ତୋର ମାତ୍ର ଦିନ ଦୁଇ ତିନିଟାରେ ଚାଲିଗଲା । ଏ ବୁଢ଼ା ବାପଟା ତୋର ଛାତିକୁ ପଥର କରି ସେ ସବୁ ସହିଲା । ହେଲେ ମା ! ସହିବାର ତ ଗୋଟେ ସୀମା ଅଛି ?

ଲକ୍ଷ୍ମୀ

ତୁମେ ସେହି ପିଛିଲା କଥାଗୁଡ଼ାକ ଆଉ ମନେପକାଅନି, ବାପା । ସେଥିରେ କିଛି ଲାଭ ନାହିଁ, ଖାଲି ଚିନ୍ତା ହିଁ ସାର ହେବ । ଲୁଣ ହାଣ୍ଡିକୁ ଖାଇଲା ପରି ସେହି ଚିନ୍ତା ତୁମକୁ କଣ୍ଟାସାର କରିଦେଲାଣି । ଅତୀତ, ଅତୀତରେ ହିଁ ମିଳାଇଯାଉ । ବର୍ତ୍ତମାନ ଏ ସଂକଟରୁ କିପରି ମୁକ୍ତି ମିଳିବ, ସେହି କଥା ହିଁ ଆମର ଚିନ୍ତା କରିବା କଥା ।

ମୋହନ

ହଁ ମା, ମୋର ସେହି ମୁକ୍ତି ଦରକାର । ମୋର ବିଶ୍ରାମ ଦରକାର । ଦିନେ, ଓଳିଏ ବା ଛ ମାସ, ବର୍ଷେ ପାଇଁ ନୁହେଁ । ମୋର ଚିର ବିଶ୍ରାମ ଲୋଡ଼ା । ଏହି ଔଷଧ ସାଙ୍ଗରେ ଗୋଳି ମୋତେ ଟିକିଏ ଗରଳ ଦେଇପାରିବୁ ମା ?

 

 

(ବୃଦ୍ଧଙ୍କର କଣ୍ଠରୁଦ୍ଧ ହୋଇ ଆସିଲା ଓ ଆଖି ଲୁହ ଛଳଛଳ ହୋଇଗଲା)

ଲକ୍ଷ୍ମୀ

(କାନ୍ଦ କାନ୍ଦ ହୋଇ) ତୁମେ ଏମିତି ଭାଙ୍ଗିପଡ଼ନି, ବାପା ! ଏ ଭଙ୍ଗାଗଢ଼ା ସଂସାରରେ କାହାର ସଂସାର ଭାଙ୍ଗିରୁଜି ଉଜୁଡ଼ି ଗଲାବେଳେ ଆଉ କାହାର ସଂସାର କେତେ ନୂଆ ରୂପ ନେଇ ଗଢ଼ିଉଠୁଛି । ଧୈର୍ଯ୍ୟ ଧରି, ମୁଣ୍ଡପାତି ବିଧାତାଙ୍କର ନିର୍ଦ୍ଦେଶ ଆମକୁ ସହିବାକୁ ହେବ । ତା ନ ହେଲେ ଆମେ ଜୀବନଯାତ୍ରା ପଥରେ ହାରିଯିବା ସିନା !

ମୋହନ

ହଁ ମା, ଆମେ ହାରିଯାଇଛେ । ଜୀବନର ଅସରନ୍ତି ଚଲାପଥର ଅଧା ବାଟ ଅଗ୍ରସର ନ ହେଉଣୁ ଆମେ ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇ ଯାଇଛେ । ଆଉ ଚାଲିବାର ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ, ଧୈର୍ଯ୍ୟ ନାହିଁ । ଏହି ଅଧା ବାଟରେ ନିଃସହାୟ ଅବସ୍ଥାରେ କରୁଣ ଆର୍ତ୍ତନାଦ ଛଡ଼ା ଆଉ ଉପାୟ କଣ ଅଛି କହିପାରିବୁ ମା !

ଲକ୍ଷ୍ମୀ

ଭଗବାନ ଭରସା । ସେହି କେବଳ ଏ ଅବସ୍ଥା ସୁଧାରିବେ ସିନା !

ମୋହନ

ଭଗବାନ ! ସେ କେବଳ ଛଳନା କରିବା ଜାଣନ୍ତି । ପ୍ରତାରିତ କରିବା ଜାଣନ୍ତି-। ଦୁଃଖ ଉପରେ ଦୁଃଖର ପାହାଡ଼ ଲଦି ଦେଇ ଜିଅନ୍ତା କଲବଲ କରିବାରେ ଆନନ୍ଦ ପାଆନ୍ତି । କାହା ପାଇଁ ସେ କରୁଣା ସାଗର କି କୃପାନିଧି ହୋଇପାରନ୍ତି; କିନ୍ତୁ ମୋ ପାଇଁ ସେ ହେଉଛନ୍ତି ଠିକ୍‌ ତାର ଓଲଟା । ଅକାତକାତ ଜଳ ମଧ୍ୟକୁ ମୋତେ ସେ ଅତି ଆଶ୍ରୟହୀନ ଅବସ୍ଥାରେ ଠେଲି ଦେଇଛନ୍ତି । ରକ୍ଷା ପାଇବାର ଭେଳା ତ ଦୂରର କଥା, କୁଟା ଖିଅଟାଏ ମଧ୍ୟ ମୁଁ ପାଉନି; ଯାହାକୁ ଆଶ୍ରା କରି ଦଣ୍ଡେ ମୁହୂର୍ତ୍ତେ ଅନ୍ତତଃ ବଞ୍ଚିଯାଆନ୍ତି ।

ଲକ୍ଷ୍ମୀ

ତୁମେ ଥୟଧର ବାପା । ଏ ଗାଁ ଭୂଇଁ ହସ-କାନ୍ଦରେ ଯେପରି ଫାଟି ପଡ଼ୁଥିଲା, ତାର ସେହି ରୂପ ପୁଣି ଫେରି ଆସିବ । ମରୁଡ଼ି ପ୍ରପୀଡ଼ିତ ଯେଉଁ ଗାଁ ଆଜି ଶ୍ମଶାନରେ ପରିଣତ ହୋଇ ନିଜର ଶିରୀ ହଜାଇ ଦେଇଛି, ସେ ପୁନର୍ବାର ତାର ପୂର୍ବ ଶୋଭା ଫେରି ପାଇବ । ହେଲେ ମୁଁ ଆଉ.....

ମୋହନ

ଫେରି ପାଇବୁନି ତୋର ମା ଓ ଭାଇଙ୍କୁ ? ସତରେ ଲକ୍ଷ୍ମୀ, କେଡ଼େ ଅସହାୟ ଅବସ୍ଥାରେ ସେମାନେ ଆମକୁ ଛାଡ଼ିଗଲେ ? ପାଚିଲା ଫଳଟାଏ ମୁଁ, ଗଛରେ ପାଚି ଟହ ଟହ ହେଉଛି । ଟିକିଏ ପବନରେ ଝଡ଼ିପଡ଼ିବି । କିନ୍ତୁ ଭାଗ୍ୟର କି ବିପର୍ଯ୍ୟୟ ! ପାଚିଲା ଫଳ ଝଡ଼ିବା ଦୂରେ ଥାଉ, କଞ୍ଚାଫଳ ଝଡ଼ିପଡ଼ିଲା । ଏ କଣ ମୋ ପ୍ରତି ଭଗବାନଙ୍କର ନିଷ୍ଠୁର ଅଭିଶାପ ନୁହେଁ ମା ?

ଲକ୍ଷ୍ମୀ

ବାପା, ତୁମେ ପୁଣି ସେହି ହଜିଲା ଦିନଗୁଡ଼ିକର ଘଟଣାକୁ ଖୋଜିବସୁଛ ? ତାକୁ ଭୁଲିଯାଅ ବାପା ! ତୁମକୁ ମୁଁ ନେହୁରା ହୋଇ କହୁଛି–ତୁମ ହାତ ଧରୁଛି-

ମୋହନ

ହଁ ମା, ମୁଁ ସବୁ ପାଶୋରି ଦେବି–ସବୁ ଭୁଲିଯିବି । ପାଶୋରିଦେବା ଯେତେବେଳେ ମନୁଷ୍ୟର ଧର୍ମ, ମୁଁ ସେଥିରୁ ବାଦ୍‌ ପଡ଼ିବି କିପରି ?

ଲକ୍ଷ୍ମୀ

ବାପା ! ଔଷଧ ଟିକିଏ ଖାଇଦିଅ ବୋଲି ମୁଁ କେତେବେଳୁ କହିଲିଣି ! ହେଲେ ତୁମେ ମୋଟେ ଶୁଣୁନା । ଦେଖି, ଟିକିଏ ଆଁ କରିଦିଅ ତ ! ଔଷଧ ଖାଇବାର ସମୟ ଠିକ୍‌ ନ ରଖିଲେ ଡାକ୍ତର ବାବୁ ବିରକ୍ତ ହେବେ । (ମୋହନ ପାଟି ଖୋଲିଲେ ଓ ଲକ୍ଷ୍ମୀ ଗ୍ଳାସରୁ କିଛି ଔଷଧ ଢାଳି ମୋହନକୁ ଖୁଆଇ ଦେଲା) ବାପା ! ଟିକିଏ ଶୋଇପଡ଼ ମୁଁ ବାର୍ଲି ତିଆରି କରିବାକୁ ଯାଉଚି ।

ମୋହନ

ହଁ ମା, ଯା । ମୁଁ ଟିକିଏ ବିଶ୍ରାମ ନିଏ ।

 

 

(ପରଦା)

Image

 

ଦ୍ୱିତୀୟ ଦୃଶ୍ୟ

 

[ସୁନାପଲ୍ଲୀ ଗାଁ ପାଖର ଅନ୍ୟ ଏକ ଗାଁ-ପେଟାପଲ୍ଲୀର ଦୁଇ ଜଣ ସମବୟସ୍କ ବ୍ୟକ୍ତି ମକରା ଓ ଶଙ୍କରା କଥାବର୍ତ୍ତା ହୋଇ ଆସୁଥିଲେ । ଅନାହାରରେ ରହି ଓ ଅଖାଦ୍ୟ ଖାଇ ଅକାଳବାର୍ଦ୍ଧକ୍ୟ ଦୁହିଙ୍କୁ ଗ୍ରାସ କରିଛି । ମକରା ବୟସରେ ବଡ଼ ।]

ଶଙ୍କରା

ମକରାରେ ! ଆଉ କେତେ ଦିନ ଏଠାରେ ରହିବା, କହିଲୁ ? ଗାଁ-ଗଣ୍ଡା ସବୁ ଶୂନଶାନ । ବିଲେଇ ପିଲା ବକଟେ ବି କେଉଁଠାରେ ନାହାନ୍ତି । ଆମେ କାହିଁକି ଏଠାରେ ଆଉ ପଡ଼ିରହିଥିବା ?

ମକରା

ବୁଝିଲୁ ଶଙ୍କରା ! ମତେ ଆସି ଲାଗପଟ ୪୫ ବର୍ଷ ହେଲା । ହେଲେ ଏମିତି ଅସମୟ ଓ ଅନାଟନ ବେଳ କେବେ ହୋଇ ନଥିଲା । ଲାଗ ଲାଗ ତିନି ବର୍ଷ ହେଲା ମରୁଡ଼ି । କାହା ଘରେ କେତେ ଜିନିଷ କିଏ ସାଇତି ରଖିଚି ଯେ, ଚଳିବ ! ପେଟ ପୋଡ଼ିଗଲେ ତ ଦଣ୍ଡେ ସମ୍ଭଳା ପଡ଼ିବନି, ତିନି ବର୍ଷ କଥା କଣ କହିବା ?

ଶଙ୍କରା

ମକରା’ଇ ! ମୂଲପାତି ଅବା କେଉଁଠାରେ କିଛି ମିଳନ୍ତା ! ତା ନାହିଁ । କାମଦାମ ମିଳିଲେ ଅଧା ମୂଲରେ ମୁଁ ଖଟନ୍ତି ଏ ପେଟ ଚାଖଣ୍ଡକ ପାଇଁ ।

ମକରା

ଆରେ, ଅଧାମୂଲ କଥା ତୁ କ’ଣ କହୁଛୁ ? ଖାଲି ଖାଇବା ମୁଠାକ ମିଳିଲେ ବି ମୁଁ କାମ କରିବାକୁ ରାଜି ଅଛି । ମିଳୁଛି କେଉଁଠି ? ଜମିବାଡ଼ିରେ ତ ଘାସ କେରାଏ ନାହିଁ, ଆଉ କାମ ମିଳିବ କେଉଁଠୁ ? ଜମିବାଡ଼ି କାମ ହେଲା ଅସଲ କାମ । ତିନି ବର୍ଷ ହେଲା ତ ଚାଷୀକୁଳ ଜମି ମାଡ଼ିଲେନି । ଜମି ଫାଟିଫୁଟି ଆଁ କରି ପଡ଼ିଛି, ଆଉ କାମର ସ୍ୱପ୍ନ ତୁ କାହିଁକି ଦେଖୁଛୁ ?

ଶଙ୍କରା

ତୁ ଯାହା କହ ମକରା’ଇ ଆଉ ବେଶି ଦିନ ନୁହେଁ । ଆମ ଭିତରୁ କିଏ କେତେ ମଲେ, ଗଲେ ଓ କିଏ କେତେ ଛତରରେ ପଶିଲେ, ତାର ଇୟତ୍ତା ନାହିଁ । ନିର୍ଜ୍ଜନ ମରୁଭୂମିର ଜନମାନବଶୂନ୍ୟ ଅଞ୍ଚଳ ପରି ଆମର ଏ ଅଞ୍ଚଳର ଅବସ୍ଥା ଏପରି ହେବ ବୋଲି କିଏ କଳ୍ପନା କରିଥିଲା ?

ମକରା

ଖାଲି ଆମ ଏ ଅଞ୍ଚଳ ନୁହେଁରେ, ଶଙ୍କରା ! ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହି ଅବସ୍ଥା । କିଏ କାହା ଦୁଃଖ ଓ ଦରଦ ବୁଝିବ ? ଗୋଟେ ଅଞ୍ଚଳରେ ସିନା ଅଭାବ ପଡ଼ିଲେ ଅନ୍ୟ ଅଞ୍ଚଳ ଯୋଗାଇ ଦେବ, ରାଜ୍ୟଟାର ଅଧିକାଂଶ ଅଞ୍ଚଳର ଅବସ୍ଥା ଏଇଆ । କିଏ କେତେ ଖାଦ୍ୟ ଦରବ ମହଜୁଦ୍‌ କରି ରଖିଛି ଯେ, ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ଆହାର ଦେବ !

ଶଙ୍କରା

ସରକାର ଭଲା କଣ ବିଚାର କରୁଛନ୍ତି ? ଲୋକଙ୍କୁ ଥଇଥାନ କରିବା ପାଇଁ, କାମଧନ୍ଦା ଯୋଗାଇ ଦେବା ପାଇଁ ସରକାର ବିଚାର କଲେ କଣ ହେବନି ? କାହା କଥା କିଏ ଶୁଣୁଛି କିରେ ? ଆମେ ଆଶା କରିଥିଲେ, ଦେଶ ସ୍ୱାଧୀନ ହେଲା–ଆମେ ଆମ ନିଜ ସରକାର ଗଢ଼ିଲେ, ଗୁଡ଼ ଆଉ ମହୁରେ ଦେଶ ଭାସିବ । ସବୁ ଅଭାବ, ଅନାଟନ କୁଆଡ଼େ ଦୂରେଇ ଯିବ । ଗୋରା ଫିରିଙ୍ଗି ସରକାରକୁ ଆମେ ଦୋଷ ଦେଉଥିଲେ ଆମ କଥା କିଛି ବୁଝିଲେ ନାହିଁ ବୋଲି । ସେ ତ ଗଲା । ଆମେ ଆମ ନିଜ ଭିତରୁ ଲୋକ ପଠାଇ ସରକାର ଗଢ଼ିଲେ । କାଇଁ, କଣ ହେଉଛି ? ବୁଝିଲ ମକରା’ଇ ! ବାହାଘର ବାସି ବେଦୀମୁହଁ ପୋଡ଼ା । ଭୋଟ ଗଣ୍ଡାକ ପାଇଗଲେ ତାଙ୍କ ଘରେ ସିଏ, ଆମ ଘରେ ଆମେ । ଆଉ କାଶିଆ କପିଳା ଭେଟ ନାହିଁ । ସ୍ୱାର୍ଥପର ଯୁଗ ମକରା’ଇ ! ଯାହା କଥା ସିଏ ଚିନ୍ତା କରିବାରେ ବ୍ୟସ୍ତ । ନିଜର ସ୍ୱାର୍ଥ ଛାଡ଼ିଲେ ସିନା ପର ସେବା ! ନିଜ କଥା ବୁଝୁ ବୁଝୁ ତ ପାଞ୍ଚ ବର୍ଷ ପାର । ତାଙ୍କୁ ସମୟ କାହିଁ ?

ମକରା

ତୁ ଆଚ୍ଛା କଥା କହୁଛୁ, ଶଙ୍କରା ! କିରେ, ଚୂନାକୁ ଚାହିଁ ସିନା ପିଠା ! ମୁଠାଏ ଚୂନା ଦେଇ ତୁ କହିବୁ ଚାରି ଚକୁଳି ପିଠା । କିରେ, ହବ କିମିତି ? ଅବସ୍ଥାକୁ ଚାହିଁ ସରକାର ଆବଶ୍ୟକୀୟ ବ୍ୟବସ୍ଥା କରୁଛନ୍ତି । ତାଙ୍କୁ ଖାଲି ଦୋଷ ଦେଲେ କଣ ହବ ? ହାତରେ ନ ଥାଇ ଧନ, ନା ପୁଅ ବାହା କରି ମନ । ଦେଶର ସମ୍ୱଳକୁ ଚାହିଁ ସିନା ସରକାର କାମ କରିବେ ? ଆଉ ତୁ ବିଚାରିବୁ କଣ ନା, ପାଣିକୁ ଗୋଡ଼ ବଢ଼େଇବୁନି, ତୋ ପାଦତଳେ ଆସି ସବୁ ଥୁଆ ହେଇଯିବ !

ଶଙ୍କରା

ହେଲା, ହେଲା, ତୋ’ରି କଥା ଏବେ ହଉ । ଆଚ୍ଛା, ଆମ ଅଞ୍ଚଳରେ ମରୁଡ଼ି ପଡ଼ିଲା । ଖାଦ୍ୟ ବିନା ଯେଉଁ କେତେ ଜଣ ମଲେ, ସରକାର ସେ ବିଷୟରେ କଣ କରିଛନ୍ତି ?

ମକରା

ସରକାରୀ ଦଳ କଥା ଛାଡ଼େ ଶଙ୍କରା ! କିରେ ବେସରକାରୀ ଦଳ ପରା ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରି ହାଲିଆ କରି ସାରିଲେଣି ! ସେଇଥିପାଇଁ ଅନୁସନ୍ଧାନ ଚାଲିଛି । ଏଣେ ମରୁଡ଼ି ଅଞ୍ଚଳରେ କାଙ୍ଗାଳ ଭୋଜନ କେନ୍ଦ୍ର ଖୋଲାଯାଇ ଶହ ଶହ ଭୋକିଲାଙ୍କୁ ଖାଇବାକୁ ଦିଆଯାଉଛି-। କିରେ, ଆମେ ପରା ପିଲା–କବିଲାଙ୍କୁ ସେହି କେନ୍ଦ୍ରରେ ଛାଡ଼ି ଆସିଲେ ?

ଶଙ୍କରା

ଆଚ୍ଛା, ଏ ଯେଉଁ ଖାଦ୍ୟ ଯୋଗାଣ କେନ୍ଦ୍ର ଖୋଲାଯାଇଛି, ଏ କଣ ସେହି ସରକାରଙ୍କ ତରଫରୁ ?

ମକରା

ତୁ ଏତେବେଳ ଯାଏଁ ସେ କଥା ଜାଣିନୁ ? ଆରେ, ଖୋଦ ସରକାର ତାହା ଖୋଲିଛନ୍ତି । ରାନ୍ଧି-ବାଢ଼ି ଦେବାକୁ ଲୋକ ଓ ଖାଦ୍ୟସାମଗ୍ରୀ ଯୋଗାଇ ଦେଇଛନ୍ତି ।

ଶଙ୍କରା

ଜାଇଁଲୁ ମକରା’ଇ ! ମୁଁ ଭାବିଲିଣି, ସେ ଯେଉଁ ବାବୁ ଜଣକ ସେଠାରେ ରହି ସବୁକଥା ବୁଝାସୁଝା କରୁଛନ୍ତି, ସେ ତାଙ୍କ ତରଫରୁ ତାହା ଖୋଲିଚନ୍ତି ।

ମକରା

ନାହିଁ, ନାହିଁ, ସେ ସରକାରଙ୍କ ତରଫରୁ ଅଛନ୍ତି କେନ୍ଦ୍ରଟିକୁ ଚଳାଇବା ପାଇଁ । ହଇରେ, ତୁ ଏତିକି ବି ବୁଝିନୁ ? କହିଲା କଣ ନା, ବୁଝି ବୁଝି କରି ସୈନ୍ଧବ ଲୁଣ ! (ଅନ୍ୟ ଆଡ଼କୁ ଚାହିଁ) ଗୋଟେ ବଣଭାଲୁ ତ !

ଶଙ୍କରା

କଣ, କଣ ହେଲା ମକରା’ଇ ! ମୁଁ ଗୋଟେ ବଣଭାଲୁ ? ଆଉ ତୁମେ କଣ ସହରୀ ଭାଲୁ ? ସରକାର ଏତିକି କରିଦେଲେ କଣ ଯଥେଷ୍ଟ ହେଇଗଲା ?

ମକରା

ତୁ କିଛି ବୁଝୁନୁ ଶଙ୍କରା ! ଧର, ଆମ ଗାଁରେ ଗୋଟେ କିଛି ଭଲମନ୍ଦ କାମ କରିବାକୁ ଆମେ ଥୟ କଲେ । ଗାଁ ଯାକ ସମସ୍ତେ ବସିଲେ, କଥାଟା ପକାଇଲେ । ଯାହା ବୁଦ୍ଧିକୁ ଯାହା ଆସିଲା, ସେ ତାହା କହିଲା । ସମସ୍ତଙ୍କ ମନକୁ ପାଇଲେ କାମଟା ହେଲା । ନାହିଁ ଯଦି ଏଥିରେ କେତେକ ଆପତ୍ତି କଲେ, ତାହାହେଲେ କାମଟା ଅଟକିଲା । ଠିକ୍‌ ଏହିଭଳି କଥା ସରକାରରେ ଚାଲିଛି । କିରେ, ଆମେ ପରା ଆମର ଲୋକ ପଠାଇଛେ, ସେମାନେ ଏକାଠି ବସି ସବୁକଥା ଆଲୋଚନା କରୁଛନ୍ତି । ଯେଉଁ କଥାଟି ସମସ୍ତଙ୍କ ମନକୁ ପାଉଛି, ସେହି କଥାଟା କାର୍ଯ୍ୟକାରୀ ହେଉଛି–ଠିକ୍‍ ଆମ ଏଇ ଗାଁ ଚଉପାଢ଼ୀର ନ୍ୟାୟ ପରି । ଆଉ ତୁ କହିବୁ, ଆମ ପାଖରେ କୁବେର ଭଣ୍ଡାର ଖୋଲି ଦିଅନ୍ତୁ ସରକାର, ଆମେ ଆମ ମନଇଚ୍ଛା ତାକୁ ଲୁଟ୍‌ କରିବୁ ।

ଶଙ୍କରା

ମକରା’ଇ, ଏ ଥର ସବୁକଥା ବୁଝିଗଲି । ମୁଁ ସବୁକଥା ବୁଝେ ଯେ ମକରା’ଇ, ଟିକିଏ ଡେରିରେ । ହଁ, ମକରାଇ ! ପିଲାମାନଙ୍କୁ ସବୁ କାଙ୍ଗାଳ ଭୋଜନ କେନ୍ଦ୍ରକୁ ପଠାଇ ଦେଲେ । ସେଠି ସେମାନେ କିମିତି ଅଛନ୍ତି, କଣ ଖାଉଛନ୍ତି, ସୁବିଧା-ଅସୁବିଧା କଥା ତ କିଛି ବୁଝିଲେନି ।

ମକରା

ହଁ, ଆଜିଠୁ ଆଠ ଦଶ ଦିନ ହୋଇଗଲା । ତାଙ୍କର ଖବର ଅନ୍ତର ମିଳିଲା ନାହିଁ । ଦେଖିବା, କାଲିଆଡ଼କୁ ଟିକିଏ ସେ ଆଡ଼େ ମାଡ଼ିଗଲେ ବି ଯାଆନ୍ତା ।

ଶଙ୍କରା

ହେଇଟି ମକରା’ଇ, ଆଜି ସକାଳୁ କାହିଁକି ପିଲା ଦୁଇଟା ମୋ ମୁହେଁ ମୁହେଁ ଦିଶିଯାଉଛନ୍ତି । ଚାଲୁନ ଆଜି ଟିକିଏ ପଳେଇବା ?

ମକରା

ଆରେ, ଯିବାକୁ କଣ କିଏ ମନା କରିବ ? ହେଲେ ଗାଁଟା ଯାକ ସବୁ ଗଲେ–ଖାଲି ରହିଲେ ଆମେ ଦୁହେଁ । ଗାଁଟା ଯାକର ଗାଈଗୋରୁ, ଛେଳି, ମେଣ୍ଢା–ଏମାନଙ୍କ ହେପାଜତ ନ କଲେ ନ ଚଳେ । ଭୋକିଲା ମଣିଷଙ୍କ ପରି ବଣର ଜନ୍ତୁଗୁଡ଼ାକ ଭୋକରେ ଆଟୁପାଟୁ ହେଉଛନ୍ତି । କିଏ ଜାଣେ, ଗଧିଆ, ହେଟା ଓ ବାଘ ଯଦି ସୁରାକ ପାଇ ଢୁକିଯିବେ ନା, ତେବେ ସର୍ବନାଶ ।

ମକରା

ତୋର ବଡ଼ ଅଡ଼ୁଆ ବୁଝାମଣା ଶଙ୍କରା’ଇ । କିରେ ମଣିଷ ତ କିଏ କେଉଁଠି ରାସ୍ତା କଡ଼ରେ, ଗଛମୂଳେ ଅଖିଆ ଅପିଆ ଆଖି ବୁଜୁଛନ୍ତି ଠିକଣା ନାହିଁ, ଆଉ ଏ ଗାଈଗୋରୁ, ଛେଳି, ମେଣ୍ଢା ଆମକୁ ସ୍ୱର୍ଗକୁ ନେଇଯିବେ ?

ଶଙ୍କରା

ତୁ ବୁଝୁନୁ ମକରା ! ଗାଁରୁ ଯେତେବେଳେ ପିଲା, ବୁଢ଼ା ସମସ୍ତେ ଆଶ୍ରୟ ପାଇଁ ଚାଲିଗଲେ, ସେତେବେଳେ କହିଗଲେ–ମକର ଓ ଶଙ୍କର ! ତୁମକୁ ଏ ଗାଁ ଭୂଇଁ କଥା ଲାଗିଲା । ଆମଠାରେ ସମସ୍ତଙ୍କର ଅଟଳ ବିଶ୍ୱାସ । ଏପରିସ୍ଥଳେ ଆମେ ଯଦି ବାହାରକୁ ଚାଲିଯିବା–ଆଉ ଯଦି କିଛି ଦୁର୍ଘଟଣା ଘଟିଯିବ, ତେବେ ଆମେ ତ ସମସ୍ତଙ୍କର ବିଶ୍ୱାସ ହରାଇବା । କଥା ଦେଇଚେ ଯେତେବେଳେ, ଏପରି ଏକ ଭୁଲ କାମ କରିବା ଉଚିତ ହେବ ନାହିଁ । ମରଦ୍‌ କା ବାତ୍‌, ହାତୀ କା ଦାନ୍ତ୍‌ । ପିଲାମାନେ ଆମର କଣ ବଣ ଜଙ୍ଗଲକୁ ଚାଲିଯାଇଚନ୍ତି ଯେ, ଆମେ ଏତେ ବ୍ୟସ୍ତ ହେବା ?

ଶଙ୍କରା

ଆରେ ମକରା’ଇ ! ଦେଖିଲୁ ଦେଖିଲୁ, ଚକରା’ଇ ତ କଣ ହେଇଟି କେଡ଼େ ଜୋରରେ ଏ ଆଡ଼େ ପଳାଇ ଆସୁଚି !

ମକରା

(ଚାହିଁ) ହଁ ଏ ତ ଚକରା । ଭାରୀ ହସଖୁସିରେ ଆସୁଚି ତ !

ଶଙ୍କରା

ଡାକିବି ? ଏ ଚକରା’ଇ–ଚକରା’ଇ ରେ !

 

 

(କିଛିକ୍ଷଣ ପରେ ଚକରାର ପ୍ରବେଶ)

ମକରା

କିରେ, ଚକରା ! ଖବର କଣ ସବୁ ? ଆରେ ସମସ୍ତେ ଭଲ ଅଛନ୍ତି ତ ସେଠାରେ ? ମୋର ଆଉ ଶଙ୍କରାର ପିଲାମାନେ କିମିତି ଅଛନ୍ତି ?

ଚକରା

ହଁ, ମକରା’ଇ, ସମସ୍ତେ ଭଲରେ ଅଛନ୍ତି । ମତେ ପରା ସମସ୍ତେ ପଠାଇଲେ-। କହିଲେ–ଏକୁଟିଆ ମକରୁ ଓ ଶଙ୍କରୁ ଗାଁରେ ଅଛନ୍ତି । କିମିତି ଅଛନ୍ତି, ଟିକିଏ ଦେଖି ଆସିବୁ ।

ଶଙ୍କର

ଚକରା’ଇ ! ମୋ ପିଲାମାନେ କିମିତି ଅଛନ୍ତି କହିଲୁ ?

ଚକର

ହଁ, ହଁ, ସବୁ ଭଲ ଅଛନ୍ତି । ଆମ ଗାଁ ଆଉ ନୂଆପଲ୍ଲୀ ଏ ଦୁଇଟି ଗାଁକୁ ମିଶାଇ ଗୋଟିଏ ଭୋଜନ କେନ୍ଦ୍ର ଖୋଲାଯାଇଛି । ଦୁଇ ବେଳା ଦୁଇ ମୁଠା ତ ଖାଇବାକୁ ମିଳୁଚି । ଆଗେ ଜୀବନ ରହିଯାଉ, ତେଣିକି ଦେଖାଅଛି । ହେଲେ ଯାହା କହ ମକରା’ଇ, ବାର ଜାତି ତେର ଗୋଲାବଇଷମ ହେଲେ ସବୁ ଗଲା । ମାନ ମହତ ଗଲା–ଇଜ୍ଜତ ଗଲା–ଆମ ମଣିଷ ପଣିଆ ବି ଗଲା ।

ମକର

କିରେ, ଏ କଥା କାଇଁ କହୁଛୁ ?

ଚକରା

ଏ ଛତରରେ ପଶିବା ଅପେକ୍ଷା ଗତର ଖଟି ଖାଇବା ଭଲ । ପୁରୁଷ ସ୍ତ୍ରୀ ବାରଣ ନାହିଁ, କାହା ପାଖେ କିଏ ଯାଇ ବସିଯାଉଚି । ଜାତି-ଅଜାତି ବାରଣ ନାହିଁ । ଘଣ୍ଟି ବାଜିବା ମାତ୍ରେ ହାତରେ ପତର ଖଣ୍ଡେ ଖଣ୍ଡେ ଧରି ସମସ୍ତେ ହାଜର । ଥାନ ଅଥାନ ବାଛୁଚି କିଏ ପେଟ ପୋଡ଼ିଗଲା ବେଳେ ? ସେଠାକୁ କେତେ ଜଣ ଟୋକା ଟାକଳିଆ ବାବୁଭାୟା ଆସିଛନ୍ତି । ତାଙ୍କ ଟାହୁଲି ଟାପରା, ଆଖିମରା ଦେଖିବ କଣ ? ଜାଣିଲୁ ମକରାଇ ! ଥିବି, ଥିବି, ଦିନେ ଉଠିବି ଯେ, ଏକାଥରେ ପିଟି ଲମ୍ୱଦଣ୍ଡା କରି ପକେଇ ଦେବି । ତେଣିକି ଜେଲ ହଉ ବା ଫାଶୀ ହଉ ।

ମକରା

ଟିକିଏ ଟିକିଏ କଥାରେ ଏତେ ଉତ୍ତେଜିତ ହେବା ଠିକ୍‌ ନୁହେଁ । ବେଙ୍ଗ କୂଅ ଭିତରେ ଥିଲାବେଳେ ସମସ୍ତେ ତା ଉପରକୁ ଟେକାଟିଏ ଲେଖାଏଁ ପକାନ୍ତି । ବିଚାରା ବେଙ୍ଗର ଅବସ୍ଥା ସେତେବେଳେ କେହି ଦେଖନ୍ତି ନାହିଁ । ପିଲାଙ୍କର ଖେଳ ବେଙ୍ଗର କାଳ ପରି, ସେମାନଙ୍କର ଟାହି ଟାପରା ଅବଶ୍ୟ ଆମକୁ ମରଣରୁ ବଳି ବାଧୁଚି । ହେଲେ ଉପାୟ କଣ ? କେନ୍ଦ୍ରର ପରିଚାଳକ ଜଣେ ଶିକ୍ଷିତ, ସରଳ ଏବଂ ସାଧୁଲୋକ । କୌଣସି ପ୍ରକାର ସୁବିଧା ଅସୁବିଧା ହେବା ଦେଖିଲେ, ତୁ ତାଙ୍କୁ ସବୁକଥା କହିବୁ । ସେ ଯଦି କିଛି ପ୍ରତିକାର ନ କରନ୍ତି, ତା ହେଲେ ଆମେ ସେ କଥା ଉପରକୁ ଜଣାଇବା ।

ଚକରା

ହଁ, ସେ କଥା ତ ଯାହା ହେବ ମୁଁ କରିବି । ତେବେ ଆଉ ଗୋଟେ ସମ୍ୱାଦ ଦେଇ ମୋତେ ଗାଁ ବାଲା ପଠାଇଛନ୍ତି । ଏଣିକି ଆଉ ଏ ଭୋଜନ କେନ୍ଦ୍ରରେ ଲୋକଙ୍କୁ ଖାଇବାକୁ ଦିଆଯିବନି ବୋଲି ଶୁଣାଯାଉଛି । ପୁଣି ଶୁଣାଯାଉଛି, ଏଣିକି ବିଭିନ୍ନ ଅଞ୍ଚଳରେ ରାସ୍ତା, କୂଅ, ପୋଖରୀ, କେନାଲ କାମ ଆରମ୍ଭ ହେବ । ଲୋକଙ୍କୁ କାମ ଯୋଗାଇ ଦିଆଯିବ ଓ ନିଜ ଗାଁମାନଙ୍କୁ ଲୋକଙ୍କୁ ପଠାଇ ଦିଆଯିବ ।

ମକରା

ଖୁବ୍‌ ଭଲ କଥା । ଖାଲି ପୁରୁଷଙ୍କ ପାଇଁ ନୁହେଁ, ମାଇପିଙ୍କ ପାଇଁ ମଧ୍ୟ କାମ ଯୋଗାଇ ଦିଆଯାଉ । ନିକମା ହୋଇ ଆମେ କାହିଁକି ବସିରହିବା ? ହକ ଖଟିବା, ପଇସା ପାଇବା । କାମ ମିଳୁ ନ ଥିଲା ବୋଲି ସିନା ଆମେ ବ୍ୟସ୍ତ ହେଉଥିଲେ, କାମ ମିଳିଲେ ଆଉ ଚିନ୍ତା କଣ ?

ଶଙ୍କର

ଆରେ ଚକରା’ଇ । ପଇସା ନେଇ ଆମେ କରିବା କଣ ? କଣ ପଇସାକୁ ଖାଇ ଭୋକ ମେଣ୍ଟାଇବା ?

ଚକର

ମୁଁ ଶୁଣୁଚି, କିଣିଖିଆଙ୍କ ପାଇଁ କଣ୍ଟରୋଳ ଦରରେ ଚାଉଳ, ଡାଲି ଯୋଗାଇ ଦେବାକୁ ସରକାରୀ ଦୋକାନ ଖୋଲାଯିବ । ଯାହାହେଉ, ଏତେ ଦିନକେ ଆମ ଦୁଃଖ ଘୁଞ୍ଚିବରେ !

ମକରା

ହଉ, ତୁ ଯା । ଗାଁର ସମସ୍ତଙ୍କୁ ବୁଝାଇ କହିବୁ ଯେ, ପୋଡ଼ା ଘରର ଦରପୋଡ଼ା କାଠ ପରି ଆମେ ଏଠାରେ ପଡ଼ିରହିଛୁ । ଆମ ଉପରେ ଯେଉଁ ଦାୟିତ୍ୱ ଦେଇ, ସେମାନେ ଏ ଗାଁର ଶିରୀ ତୁଟାଇ ଚାଲିଯାଇଛନ୍ତି, ସେ ଦାୟିତ୍ୱ ତୁଲାଇବାରେ ତ୍ରୁଟି କରି ନାହୁଁ ।

 

 

(ପରଦା)

Image

 

ତୃତୀୟ ଦୃଶ୍ୟ

 

[ମୋହନ ଜେନା ଘରର ଅଳିନ୍ଦ । ପରଦା ଉଠିବା ପରେ ଦେଖାଗଲା–ମୋହନ ମୁଣ୍ଡରେ ହାତ ଦେଇ ବସିଛି । ଟିକିଏ ଛାଡ଼ି ଗୋଟିଏ ପାତ୍ରରେ କିଛି ବାର୍ଲି ନେଇ ପହଞ୍ଚିଲା ଲକ୍ଷ୍ମୀ । ମୁହଁରେ ତାର ଦୁଃଖର ଦାଗ ସ୍ପଷ୍ଟ ପରିଲକ୍ଷିତ ।]

ଲକ୍ଷ୍ମୀ

ବାପା ! କାଲି ଡାକ୍ତର ବାବୁଙ୍କଠାରୁ ତ ସବୁକଥା ଶୁଣିଲ । ସେ କହିଲେ ଯେ, ସବୁବେଳେ ବାର ଚିନ୍ତା କରୁଥିବାରୁ ତୁମର ମୁଣ୍ଡ ବୁଲାଉଛି ଓ ରାତିରେ ଭଲ ନିଦ ନ ହେବା ଫଳରେ ଯାହା ଖାଉଛ, ତାହା ଦେହରେ ଲାଗୁନି । ବାକି ରକ୍ତହୀନତା ଦୂର କରିବା ପାଇଁ ସେ କେତୋଟି ଔଷଧ ଲେଖି ଦେଇଛନ୍ତି । ସେତକ କିଣିଲେ ଅନ୍ଦାଜ କୋଡ଼ିଏ ଟଙ୍କା ଭିତରେ ପଡ଼ିବ ।

ମୋହନ

କଣ କହିଲୁ ମା, କୋଡ଼ିଏ ଟଙ୍କା ! ମତେ ଟଙ୍କା ଆମେ କେଉଁଠାରୁ ପାଇବା ? ଥାଉ, ଥାଉ, । ମୁଁ ଆଉ ଜମା ଚିନ୍ତା କରିବିନି ମୋ ଦେହ ପାଇଁ । ତୁ ନିଶ୍ଚିନ୍ତ ରହ ମା ! ତା ମନକୁ ସିଏ ଭଲ ହେବ । ପାଚିଲା ଥାଉ ଥାଉ ଯେତେବେଳେ କଞ୍ଚା ଚାଲିଯାଇଛି, ସେତେବେଳେ ପାଚିଲାଟା ପାଇଁ ତୁ ଏତେଟା ବ୍ୟସ୍ତ ହେବା ଆଦୌ ଦରକାର ନାହିଁ । ଯେତେ ଝଡ଼ଝଞ୍ଜା ବହିଲେ ବି ଏ ଆଉ ଯିବା ସହଜ ନୁହେଁ । କଣ କହୁଛୁ ମା ?

ଲକ୍ଷ୍ମୀ

ନାଇଁ, ବାପା ! ମୁଁ ଯେଉଁଠୁ ହେଲେ ଯୋଗାଡ଼ କରିବି । ଯେ କୌଣସିମତେ ଡାକ୍ତରଙ୍କର ଉପଦେଶ ମୋତେ ମାନିବାକୁ ହେବ ।

ମୋହନ

ମା, ଏ ଘର କେତେ ଦରବରେ ପୂରିଥିଲା । ସବୁ ବିକି ଭାଙ୍ଗି ଶେଷ ହୋଇଗଲା । ମାଆର ସୁନା ଗହଣାଗାଣ୍ଠିଠାରୁ ଆରମ୍ଭ କରି କଂସା ବାସନ ମଧ୍ୟ ଗଲା । ଶେଷକୁ ଗାଈ, ବଳଦଯାକ ବିକି ମୋ ଦେହରେ ଲଗାଇଲୁ । ଏ ପାଞ୍ଚ ସାତ ଖଣ୍ଡ ଗାଁରେ ମୋ ଘର ଥିଲା ଗୋଟିଏ ଘର ପରି । ମୋତେ ନିତି ରାତି ପାହିଲେ କେତେ ଲୋକ ହାତ ପତାଉଥିଲେ । ଭାଗ୍ୟର ବିପର୍ଯ୍ୟୟ ମା-! ସବୁ ଶେଷ ହୋଇ ଯାଇଛି । ଧନ ସାଙ୍ଗକୁ ଏ ଘରର ମାନସମ୍ମାନ ବି ଯାଇଛି । ଖାଲି ନିଲ୍ଲଜ୍ଜ ମୁହଁ ଦେଖାଇ ଏ ବୁଢ଼ାଟା ବଞ୍ଚିରହିଛି ।

ଲକ୍ଷ୍ମୀ

ବାପା ! ତୁମେ ତ ନିଜେ ସ୍ୱୀକାର କରୁଛ–ସବୁ ଭାଗ୍ୟର ବିପର୍ଯ୍ୟୟ । ସେଥିପାଇଁ ଏତେ ବ୍ୟସ୍ତ କାହିଁକି ? ଖାଲି ଆମ ଘର ନୁହେଁ, ମରୁଡ଼ି ଆମ ପରି ବହୁ ଲୋକଙ୍କର ମେରୁହାଡ଼ ଭାଙ୍ଗି ଦେଇଛି । ବାପା, ଗୋଟିଏ କଥା କହିବି, ଶୁଣିବ ?

ମୋହନ

(ଅତି ଆଗ୍ରହର ସହିତ) କହ ମା ! କଣ ତୁ କହିବାକୁ ଚାହୁଁଛୁ, କହିଲୁ ? ତୋ କଥା ମୁଁ ଶୁଣିବିନି ? ସଂସାରରେ ଆଉ ମୋର କିଏ ଅଛି କହିଲୁ ତୋ ଛଡ଼ା-?

ଲକ୍ଷ୍ମୀ

(ବାପାଙ୍କ ପଛପଟକୁ କ୍ଷଣକ ପାଇଁ ଚାଲିଯାଇ କାନରୁ ଇୟରିଙ୍ଗ୍‌ ଦୁଇଟା ଫିଟାଇ ହାତରେ ଧରି) ବାପା, ଦେଖିଲ ଏ ଦୁଇଟା ଦେଲେ କଣ କୋଡ଼ିଏ ଟଙ୍କା ମିଳିବନି ? ଆଜିକାଲି ଏଗୁଡ଼ାକ ତ ଲଗାଇବାକୁ କେହି ପସନ୍ଦ କରୁ ନାହାନ୍ତି । ତେଣୁ ଭାବୁଛି.....

ମୋହନ

(ଲୁହ ଛଳ ଛଳ ଆଖିରେ) ମୁଁ କଣ ପିଲା ହେଇଚି ମା, ତୁ ମତେ ଭୁଲେଇବୁ ? ଦେହରେ ମୁଣ୍ଡରେ ତ ଆଉ ତୋର କିଛି ନାହିଁ । ଶେଷରେ କାନର ଇୟରିଙ୍ଗ୍‌ ଯୋଡ଼ିକ ବି.....। ଥାଉ, ଥାଉ, ଲକ୍ଷ୍ମୀ ! ସେଥିରେ ମୋର ଆଦୌ ଅଧିକାର ନାହିଁ । ତାହା ଯିଏ ତତେ ଦେଇଥିଲା, ସେ ଯାଇ ସ୍ୱର୍ଗରେ । ମୁଁ ପାରିବିନି ମା–ସେ ଦୁଇଟି ବିକିବା ପାଇଁ ମୁଁ ତତେ ଅନୁମତି ଦେଇ ପାରିବି ନାହିଁ ।

ଲକ୍ଷ୍ମୀ

ବାପା, ମୋ ସାନକୁହା ମାନ, ବାପା ! ସୁନାରୂପା ମଣିଷ କରିଥାଏ ବିପଦ ଆପଦରେ ସାହାଯ୍ୟ ପାଇବା ପାଇଁ । ଦେହର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ତାର ସୃଷ୍ଟି ନୁହେଁ । ଦରକାର ବେଳେ ଆମେ ଯଦି ତାକୁ କାମରେ ଲଗାଇ ନ ପାରିବା, ତେବେ ତାହା ମୂଲ୍ୟହୀନ ହୋଇପଡ଼ିବ । ତୁମ ହାତ ଧରୁଚି ବାପା, ତୁମେ ଏଥିରେ ରାଜି ହୁଅ । ତୁମ ଦେହ ମୋ ଓଜନର ଶହେ ଗୁଣ ସୁନାଠାରୁ ଅଧିକ ମୂଲ୍ୟବାନ । ଏ ତ ସାମାନ୍ୟ ଦୁଇଟି ଇୟରିଙ୍ଗ୍‌ ମାତ୍ର ।

ମୋହନ

ପ୍ରତ୍ୟେକ ସ୍ଥଳରେ ତୁ ମତେ ଯୁକ୍ତିରେ ପରାସ୍ତ କରି ଦେଇଛୁ ମା, ତୋର କେତେ ବୁଦ୍ଧି ! ଏ ବୁଢ଼ା ବାପଟା ତୋ ଚତୁରତା ପାଖେ ହାର ମାନି ଯାଇଛି । ମୋର ବଡ଼ ଭାଗ୍ୟ–ମୋର ବଡ଼ ସୌଭାଗ୍ୟ ମା ! ଗୋଟେ କଥା ତତେ ଲୁଚାଇ ରଖିଚି । ଆଜି ଆଉ ଲୁଚାଇ ରଖି ପାରିବିନି ମା ! ଲୁଚାଇ ରଖି ମୁଁ ଯେଉଁ ପାପ କରିଛି, ସେ ପାପରୁ ମୋତେ ମୁକ୍ତି ମିଳିବନି ମା ! କହିବି ? ତୁ ଶୁଣିବୁ ? ତୁ ଶୁଣି ପାରିବୁ ?

ଲକ୍ଷ୍ମୀ

ବାପା ! ଆଘାତ ଉପରେ ଆଘାତ ପାଇ ଏ ଦେହ, ମନ ଓ ହୃଦୟ ଇସ୍ପାତ୍‌ଠାରୁ ଟାଣ ହୋଇଯାଇଛି । ଇସ୍ପାତ୍‌ଠାରୁ ଆହୁରି ଟାଣ କଥା କିଛି କହିବ ?

ମୋହନ

ଶୁଣ୍‌ ତେବେ । ଏ ଅଲୋଡ଼ା ଜୀବନର ଆବଶ୍ୟକତା ନାହିଁ ବୋଲି, ଗତ ରାତିରେ ବେକରେ ରସି ଦେଇ ଝୁଲି ପଡ଼ିଥିଲି ମା, ଏହି ବଡ଼ କାଠର କଡ଼ିଟାରେ । ମାତ୍ର ମୋର ଦୁର୍ଭାଗ୍ୟ ଯେ, ରସିଟା ଛିଣ୍ଡିଗଲା ।

ଲକ୍ଷ୍ମୀ

ବାପା, ବାପା, କଣ କରୁଥିଲ ତୁମେ ବାପା ! (କାନ୍ଦି କାନ୍ଦି କୋଳରେ ଲୋଟିଗଲା) ହେ ଭଗବାନ ! ମୋ ପରି ଏକ ଲକ୍ଷ୍ମୀଛାଡ଼ୀ, ହୀନିକପାଳୀ ଓ ହତଭାଗିନୀକୁ କାହିଁକି ଜନ୍ମ ଦେଲ ? ମା, ଭାଇଙ୍କ ଆଗରୁ ମୋତେ କାହିଁକି ନ ନେଲ ପ୍ରଭୋ !

ମୋହନ

ମା, କିଏ କହିଲା ତୁ ହତଭାଗିନୀ ଆଉ ହୀନିକପାଳୀ ? ତୁ ମୋର ସାକ୍ଷାତ ଲକ୍ଷ୍ମୀପ୍ରତିମା । ତୋରି ଲାଗି ମୁଁ ବଞ୍ଚିଛି ମା ! ତତେ ଛାଡ଼ି ଦଣ୍ଡକ ପାଇଁ ମୁଁ କୁଆଡ଼େ ଯିବିନି । ମୋର ଗୋଟେ ବୋଲ ମାନିବୁ ଲକ୍ଷ୍ମୀ ?

ଲକ୍ଷ୍ମୀ

ନିଶ୍ଚୟ ମାନିବି, ବାପା ! ଯେତେ ଦୁଃସାଧ୍ୟ ହେଉ ପଛକେ ମୁଁ ନିଶ୍ଚୟ ତୁମ କଥା ରଖିବି । କଣ କରିବାକୁ ହେବ ମତେ କୁହ ।

ମୋହନ

ମା, ଆଉ ଏଠାରେ ଦଣ୍ଡେ ରହିବାକୁ ମୋର ଇଚ୍ଛା ବଳୁନି । ସାତପୁରୁଷର ଯେଉଁ ଭିଟାମାଟିର ମାୟା ମତେ ବାନ୍ଧି ରଖିଥିଲା, ସେହି ମାୟା ମମତାକୁ ତୁଟାଇ ଦେଇ ଆମେ ଚାଲିଯିବା ଦୂରକୁ-ବହୁଦୂରକୁ, ଯେଉଁଠାରେ ଆମର ପ୍ରିୟ ପରିଜନ କେହି ନ ଥିବେ । ତୁ ଯାଇପାରିବୁ ମା, ମୋ ସାଙ୍ଗରେ ?

ଲକ୍ଷ୍ମୀ

ହଁ, ବାପା । ତୁମ ଇଚ୍ଛା ଯେଉଁଠିକୁ ହେଉଛି ସେଠାକୁ ଚାଲ । ତୁମ ଆନନ୍ଦରେ ମୁଁ କେବେହେଲେ ବାଧା ଦେବି ନାହିଁ ।

ମୋହନ

ବର୍ତ୍ତମାନ ବାହାରିପଡ଼ ମା । ଏଇ ହେଉଛି ଆମ ଯାତ୍ରାର ଶୁଭମୁହୂର୍ତ୍ତ । (ମୋହନ ଓ ଲକ୍ଷ୍ମୀ ଘରର ଧୂଳି ମୁଣ୍ଡରେ ମାରି ଠିକ୍‌ ବାହାରି ଆସୁଥିବା ବେଳେ)

ପୋଷ୍ଟମ୍ୟାନ

ମୋହନ ଜେନାଙ୍କ ଘର କେଉଁଟା ଆପଣ କହି ପାରିବେ ?

ମୋହନ

(ଆଶ୍ଚର୍ଯ୍ୟ ହୋଇ ପୋଷ୍ଟମ୍ୟାନଙ୍କୁ ଚାହିଁ) ତାଙ୍କ ପାଖେ କଣ କିଛି ଆପଣଙ୍କର କାମ ଅଛି ?

ପୋଷ୍ଟମ୍ୟାନ

ହଁ, ତାଙ୍କର ଗୋଟେ ରେଜେଷ୍ଟ୍ରି ଚିଠି ଅଛି । ସେଇଟା ଦେବାକୁ ଆସିଥିଲି ।

ମୋହନ

ମୋ ନାଁ ମୋହନ ।

ପୋଷ୍ଟମ୍ୟାନ

ଓ, ଆପଣ ! ନିଅନ୍ତୁ ଆପଣଙ୍କର ଏ ଚିଠି ।

 

 

(ପୋଷ୍ଟମ୍ୟାନର ପ୍ରସ୍ଥାନ)

ମୋହନ

ଲକ୍ଷ୍ମୀ ! ଦେଖିଲୁ ମା, ଏ ଚିଠି କେଉଁଠୁ ଆସିଛି ?

ଲକ୍ଷ୍ମୀ

(ଚିଠିଟିକୁ ଖୋଲି) ବାପା ! କନକ ଅପା ଏ ଚିଠିଟି ଦେଇଚି । ପଢ଼ୁଚି, ଶୁଣ ।

 

 

ପୂଜ୍ୟପାଦ ମଉସା,

 

 

ଏ ଦୂର ଦେଶରୁ ମୋର ଭକ୍ତିଭରା ପ୍ରଣାମ ନେବେ । ବାଲ୍ୟକାଳରୁ ପିତୃମାତୃହୀନା ହୋଇ ମୁଁ ବାତ୍ସଲ୍ୟ ସ୍ନେହ-ମମତାରୁ ବଞ୍ଚିତା ହୋଇଥିଲେ ହେଁ, ଆପଣ ଓ ମାଉସୀଙ୍କଠାରୁ ତାହା ପାଇ ମୁଁ ମୋ ଜୀବନକୁ ଧନ୍ୟ ମନେ କରିଥିଲି । ଆପଣଙ୍କ ସେ ଅଞ୍ଚଳରେ ଚାକିରୀ କଲାବେଳର ସେହି ପ୍ରଥମ ସାକ୍ଷାତଟିକୁ ମୁଁ ଜୀବନରେ ଭୁଲିପାରିବିନି । ଘନ ଘୋର ଅନ୍ଧାର ଓ ଝଡ଼ ରାତିରେ ସେଦିନ ମୁଁ ବାଟ ଭୁଲି ମୁମୂର୍ଷୁପ୍ରାଣା ହୋଇ ଯେତେବେଳେ ଆପଣଙ୍କ ଦୁଆରମୁହଁରେ ପଡ଼ିଯାଇଥିଲି, ଆପଣ ମୋତେ ଟେକି ନେଇ, ମୋ ପାଖେ ଦିବାନିଶି ଜଗିରହି, ନିଶ୍ଚିତ ମୃତ୍ୟୁମୁଖରୁ ମୋତେ ଉଦ୍ଧାର କରିଥିଲେ । ମାଉସୀଙ୍କର ସେବା, ଆଦର, ଯତ୍ନ ଓ ଆପଣଙ୍କର ମମତା ହିଁ ମୋତେ ବଞ୍ଚାଇଥିଲା ।

 

 

ଆପଣଙ୍କ ମରୁଡ଼ିଗ୍ରସ୍ତ ଅଞ୍ଚଳର ଦୁରବସ୍ଥା ଓ କରୁଣ କାହାଣୀ ବହୁବାର କାଗଜରୁ ପଢ଼ି, ଆପଣଙ୍କ ଦର୍ଶନ ଆଶାରେ ଧାଇଁ ଯାଇଥିଲି ଚାରି ଦିନ ଛୁଟି ନେଇ । କିନ୍ତୁ ମାଉସୀ ଓ ବନୁଭାଇ ଜୀବନରେ ନାହାନ୍ତି ଶୁଣି, ଆପଣଙ୍କୁ ଦେଖା ନ ଦେଇ କାନ୍ଦି କାନ୍ଦି ଫେରି ଆସିଲି ।

 

 

ସ୍ୱଳ୍ପ ରୋଜଗାରକ୍ଷମ ମୋ ଗ୍ରାମସେବିକା ଜୀବନର ଯତ୍‌କିଞ୍ଚିତ୍‌ ସମ୍ୱଳ ତିନି ହଜାର ଟଙ୍କାର ବ୍ୟାଙ୍କ୍‌ ଡ୍ରାଫ୍ଟଟିଏ ଏହା ସଙ୍ଗେ ପଠାଇଲି । ଏହା ଆପଣଙ୍କୁ ସମ୍ୟକ୍‌ ସାହାଯ୍ୟ କରିବ ବୋଲି ଆଶା କରି ଆପଣଙ୍କ ଚରଣ ତଳୁ ବିଦାୟ ନେଲି । ଇତି ।

 

 

ଆପଣଙ୍କର ସ୍ନେହାଧୀନା

 

 

କନକ

ମୋହନ

(ଉତ୍ସୁକତା ଓ ଉତ୍‌ଫୁଲ୍ଲତାର ସହିତ ରହିଥିଲେ । ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବହି ଆସିଲା) ଭଗବାନ ତତେ କୋଟି ପରମାୟୁ ଦିଅନ୍ତୁ ମା । ତୋର ଋଣ ଜନ୍ମେ ଜନ୍ମେ ମୁଁ ଶୁଝିପାରିବିନି । ମୋର ଭଙ୍ଗା ସଂସାର ତୋର ଆଯାଚିତ ଦାନରେ ପୁଣି ଗଢ଼ିଉଠିବ । ମା ଲକ୍ଷ୍ମୀ ! ଏ ଭିଟାମାଟିର ମାୟା ତୁଟାଇ ମୁଁ ଯାଇ ପାରିବିନି । ଆ, ଫେରି ଆ । ତୁମ ଦୁହିଙ୍କ ପାଖରେ ଏ ବୁଢ଼ା ବାପଟା ହାରିଗଲା ମା, ଏ ବୁଢ଼ା ବାପ ସବୁଦିନ ପାଇଁ ହାରିଗଲା ।

 

 

(ପରଦା)

Image

 

ଡାୟମଣ୍ଡ ହାର

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

[ତହସିଲଦାର ସୁକାନ୍ତ ବାବୁଙ୍କ ବସାଘର । ଗୃହର ସାଜସଜ୍ଜା ଅତି ଉନ୍ନତ ଧରଣର । ସମୟ-ଅପରାହ୍ନ ଚାରିଟା । ହାତରେ ଗୋଟିଏ ଟେଲିଗ୍ରାମ ଧରି ସୁକାନ୍ତ ବାବୁ ହସି ହସି ଘର ଭିତରକୁ ପଶିଆସିଲେ ।

ପରଦା ଉଠିବା ପରେ ଦେଖାଗଲା–ସୁକାନ୍ତ ବାବୁ ଗୋଟିଏ ଆରାମ ଚୌକିରେ ବସି ଗୁଣୁ ଗୁଣୁ ଗୀତ ଗାଇ ଟେଲିଗ୍ରାମଟିକୁ ଖୋଲି ପଢ଼ୁଛନ୍ତି । ଏତିକିବେଳେ ଚାକର ଦୀନୁ ଆସିଛି ।]

ସୁକାନ୍ତ

କିରେ ଦୀନୁ, ମା କୁଆଡ଼େ ଗଲେ ?

ଦୀନୁ

ବାବୁ, ମା ତେଣେ ଜଳଖିଆ ତିଆରି କରୁଛନ୍ତି । ଆପଣଙ୍କ କଚେରୀ ବାହୁଡ଼ା ବେଳ କି ନା ?

ସୁକାନ୍ତ

ଦୀନୁ, ତୁ ଗଲୁ–ଶୀଘ୍ର ଯା । ମାଆକୁ କହିବୁ ଜଲ୍‌ଦି ଆସିବେ ।

ଦୀନୁ

ଯାଉଚି ବାବୁ ।

ସୁକାନ୍ତ

ଆରେ ଶୁଣ୍‌ । ମାଆଙ୍କୁ କହିବୁ, ଆଜି ସେ ମୋତେ ମହାରାଜୀ ଦୋକାନ ମିଠାଇ ଖୁଆଇବେ । ସବୁଦିନ ପରି ସାଧାରଣ ଲୁଚି, ତରକାରୀ ଆଜି ଆଉ ଚଳିବନି

ଦୀନୁ

(ହସି ହସି) ହଁ ବାବୁ, ଯାଉଚି କହିବି ।

ସୁକାନ୍ତ

ଆରେ, କଣ କହିବୁ, କହିଲୁ ?

ଦୀନୁ

ଆପଣ ଯାହା କହିଲେ–ହାମରାଜୀ ଦୋକାନ ମିଠେଇ ଖାଇବାକୁ !

ସୁକାନ୍ତ

ଧେତେରି ବୋକା କୋଉଠିକାର ? ଆରେ ଯା, ଯା, କହ–ବେଗେ ଆସିବେ-। ଅତି ଜରୁରୀ । ଆଉ ଖୁବ୍‌ ଏକ ଶୁଭସମ୍ୱାଦ

ଦୀନୁ

ହଁ ସାନ୍ତେ, ଯାଉଛି । (ମା, ମା, ଡାକି ପ୍ରସ୍ଥାନ)

 

 

(ଟିକିଏ ଛାଡ଼ି ସୁମିତ୍ରା ଆସି ପହଞ୍ଚିଲେ)

ସୁମିତ୍ରା

ଆଜି ତ କଣ ଶୀଘ୍ର ଅଫିସରୁ ଛୁଟି ମିଳିଗଲା ! କଣ ବିଶେଷ କିଛି କାମଦାମ ନ ଥିଲା ନା କଣ ? ଦୀନୁ କହିଲା–ତୁମେ ଆଜି ମହାରାଜୀ ଦୋକାନ ମିଠେଇ ଖୁଆଇବ ବୋଲି । ଅଫିସ ବାଟରେ ତ ମହାରାଜୀ ଦୋକାନ–ବାଟରୁ କଣ କିଛି.....

ସୁକାନ୍ତ

ମୁଁ ଖୁଆଇବି ବୋଲି ଦୀନୁ କହିଲା ? ହାଃ–ହାଃ, ଗୋଟେ ବୋକା କୋଉଠିକାର । ଏତେ ଦିନ ଆମ ପାଖରେ ରହିଲାଣି, ଟିକିଏ ତ ଅକଲ ଶିଖିଲାନି । ମୁଁ କହି ପଠାଇଛି ତୁମେ ମୋତେ ଖୁଆଇବ ବୋଲି ।

ସୁମିତ୍ରା

ଓ, ମୁଁ ତୁମକୁ ଖୁଆଇବା କଥା ? କିନ୍ତୁ ଠିକ୍‌ ଓଲଟା କଥାଟା ସେ କହିଛି । ଆଚ୍ଛା, ହଉ, ହଉ । ମୁଁ ତୁମକୁ ଖୁଆଏ ବା ତୁମେ ମୋତେ ଖୁଆଅ–ଏ ସବୁ କଥାର ଅବତାରଣା କାହିଁକି ?

ସୁକାନ୍ତ

(ସୁମିତ୍ରା ହାତକୁ ଟେଲିଗ୍ରାମ୍‌ଟି ବଢ଼ାଇ ଦେଲେ)

ସୁମିତ୍ରା

Blessed with a son 4th morning. (ବ୍ଳେସ୍‌ଡ଼ ଉଇଥ୍‌ ଏ ସନ୍‌ ଫୋର୍ଥ ମର୍ଣ୍ଣିଙ୍ଗ୍‌) Mother and child both ok (ମଦର୍‌ ଆଣ୍ଡ ଚାଇଲ୍‌ଡ଼ ବୋଥ୍‌ ଓକେ) ମହେନ୍ଦ୍ରନାଥ

 

 

ଓଃ, କେମିତି ଲୋକ ମ ତୁମେ ! ଏଡ଼େ ବଡ଼ ଶୁଭସମ୍ବାଦଟିଏ ଆଣିଛ; ଅଥଚ ଟିକିଏ ଶୀଘ୍ର କହୁନା ? କଣ ନା, ମହାରାଜୀ ଦୋକାନ ମିଠାଇ ଆଣ-!

ସୁକାନ୍ତ

ସତରେ ସୁମିତ୍ରା, ଟେଲିଗ୍ରାମଟି ଅଫିସରେ ଯେମିତି ପାଇଛି, ଫାଇଲପତ୍ର ଆଉ ଘାଣ୍ଟିବାକୁ ଇଚ୍ଛା ହେଲାନି । ହେଡକ୍ଳର୍କ ଗଦାଏ ଫାଇଲ ଜମାକରି ବସିଛନ୍ତି । ମୋର ଆଉ କିଛି କରିବାକୁ ଇଚ୍ଛା ହେଲାନି । ସଙ୍ଗେ ସଙ୍ଗେ ଚାଲି ଆସିଲି ।

ସୁମିତ୍ରା

ଠିକ୍‌ କରିଛ । ଆଜି ଆମର ବଡ଼ ସୌଭାଗ୍ୟର ଦିନ । ବଡ଼ ଶୁଭବେଳାରେ ଆଜି ରାତି ପାହିଥିଲା ।

ସୁକାନ୍ତ

ମୁଁ ପରା ସେଇଥିପାଇଁ କହୁଥିଲି, ମତେ ତୁମେ ଆଜି ମିଠାଇ ଖୁଆଇବ । କଣ କହୁଛ ? ସତେ, ସୁମିତ୍ରା ! ଆଜିର ଏହି ଫେବୃଆରୀ ଚାରି ତାରିଖ ତୁମର ଏକ ସ୍ମରଣୀୟ ଦିବସ ହୋଇ ରହିବ । ଏତେ ବଡ଼ ଦିନରେ ତୁମେ ମୋର ସାମାନ୍ୟ ଗୋଟେ ଅଭିଳାଷ କଣ ପୂରଣ କରିପାରିବ ନାହିଁ ?

 

 

(ଚଉକିରୁ ଉଠି ସୁମିତ୍ରାଙ୍କର ଦୁଇ ହାତକୁ ସସ୍ନେହେ ଧରି ପକାଇଲେ)

ସୁମିତ୍ରା

(ସୁକାନ୍ତଙ୍କର ହାତକୁ ତରତରରେ ଠେଲି ଦେଇ)–ରହ ମ, କଣ ଏମିତି ପିଲାଙ୍କ ପରି ହଉଚ ? ବାବୁଲି କି ଗୀତା ଆସୁଥିବେ । ଟିକିଏ ଅକଲ ନାହିଁ ତୁମର ?

ସୁକାନ୍ତ

ବାବୁଲି ହେରିକା ଆସିନାହାନ୍ତି କି ? ଆଜି ଏତେବେଳେ ଯାଏଁ କଣ କରୁଛନ୍ତି ?

ସୁମିତ୍ରା

ତାଙ୍କ ସ୍କୁଲରେ ଏହି ସରସ୍ୱତୀ ପୂଜାକୁ କଣ ଗୋଟେ ଡ୍ରାମା ହେବ ଯେ, ତାଙ୍କର ରିହାରସଲ୍‌ ହେଉଛି । ବାବୁଲି କହିଲା–ତାଙ୍କର ସ୍କୁଲରୁ ଆସୁ ଆସୁ ଏହି ଆଠ ଦଶ ଦିନ ଟିକିଏ ଡେରି ହେବ ।

ସୁକାନ୍ତ

ଆଚ୍ଛା, ଏକୋଇଶିଆ ତାହା ହେଲେ କେବେ ପଡ଼ିବ ?

ସୁମିତ୍ରା

ଏଇ କଥା ଜାଣିପାରୁନ ? ଚାରି ତାରିଖ ସକାଳୁ ପୁଅ ହୋଇଛି । ଚବିଶ ତାରିଖରେ ଏକୋଇଶିଆ । ଆଚ୍ଛା, ତାଙ୍କ ଘରଆଡ଼େ ଟିକିଏ ବୁଲିଗଲେ ହୁଅନ୍ତାନି । ବହୁଦିନ ହେଲା ମନୁ (ମନୋରମା) ସଙ୍ଗେ ଦେଖା ହୋଇନି । କେନ୍ଦ୍ରାପଡ଼ା ତ ହେଇଟି, ସକାଳୁ ଯାଇ ସଞ୍ଜ ସରିକି ଫେରି ହେବ । ଟିକିଏ ମାଡ଼ିଗଲେ କିମିତି ହୁଅନ୍ତା ?

ସୁକାନ୍ତ

ସୁମିତ୍ରା ! ଏବେ ଯିବା–ପୁଣି ଏକୋଇଶିଆକୁ ଯିବା ? ମଝିରେ ଆଉ କେତୁଟା ଦିନ ରହିଲା ଯେ, ଦି’ଥର ଯା–ଆସ କରୁଥିବା ? ଥାଉ, ଏକୋଇଶିଆ ବେଳକୁ ଏକା ଥରେ ଦୁଇ ତିନି ଦିନ ଛୁଟି ନେଇ ଯିବା ଯେ, ମହେନ୍ଦ୍ର ପୁଅର ଏକୋଇଶିଆ ଓ ବଳଦେବଜୀ ଦର୍ଶନ ସବୁ ସାରି ଫେରି ଆସିବା ।

ସୁମିତ୍ରା

ହଉ ତେବେ, ଗୋଟେ ଟେଲିଗ୍ରାମ ଆମର କରିଦିଅ–ଭଗବାନ ତୋ କୋଳର ପୁଅକୁ ଶତବର୍ଷ ପରମାୟୁ ଦିଅନ୍ତୁ ତାକୁ ସୁଖରେ ରଖନ୍ତୁ ।

ସୁକାନ୍ତ

ଦୀନୁ କାହିଁ ? ତୁମକୁ ଡାକି ଯାଇଥିଲା ପରା ?

ସୁମିତ୍ରା

ତୁମ ପାଇଁ ଜଳଖିଆ ତିଆରି କରି ସାରିଥିଲି । ଖାଲି ଚା ଟିକିଏ କରି ଶୀଘ୍ର ଆ ବୋଲି ତାକୁ ସେତେବେଳୁ କହି ଆସିଲିଣି, ଦେଖୁନା, ଏ ଯାଏଁ ଚା ଟିକିଏ ବି ତା ହାତରେ ହେଲାନି । ଏମିତି ଗୋଟେ ଅଜବ ଚାକର ମୁଁ କେଉଁଠି ଦେଖିନି ପରା ! ଟିକିଏ ବୁଦ୍ଧିଶୁଦ୍ଧି ନାହିଁ । ଏଡ଼ୁଟିଏ ହେଲା ଆସି, ଟିକିଏ କୋଉ କଥା ଶିଖନ୍ତା ଭଲା !

ସୁକାନ୍ତ

କାଇଁ, ଆଜି ହାରା ମା କୁଆଡ଼େ ଗଲା କି ?

ସୁମିତ୍ରା

ତା ମୁଣ୍ଡ ଗଣ୍ଡିକି ଯାଇଚି । ସେ ବି ଗୋଟେ ଅଦ୍ଭୁତ ମଣିଷ । ସାହା ଭରସା କେହି ନାହାନ୍ତି । ବୁଢ଼ୀ ଲୋକ । ଟିକିଏ ରୋଷେଇବାସରେ ସାହାଯ୍ୟ କରିବାକୁ ସେଥିରୁ ଗୋଟେ ରଖିଲେ ଯେ, ତାର ଛ ଦିନକୁ ନଅ ରୋଗ । ଜର ହେଉଛି ବୋଲି ଆର ଘରେ ଘୋଡ଼େଇ ହୋଇ ଶୋଇଛି । ବୁଝିଲ, ତୁମେ ଏ ଘର କଥା ବୁଝ । ମୁଁ ଆଉ ଏଣିକି ପାରିବିନି ।

ସୁକାନ୍ତ

ବେଶ୍‌, ବେଶ୍‌, ଭଲ କଥା । ମୁଁ ଘର କଥା ବୁଝିବାକୁ ରାଜି; ମାତ୍ର ତୁମେ ମୋ ଅଫିସ କଥା ବୁଝିବ ତ ?

ସୁମିତ୍ରା

କ’ଣ, ମୁଁ ପାରିବିନି ?

ସୁକାନ୍ତ

ହଁ, ପାରିବନି କାହିଁକି ? କଲେଜ ଦୁଇ ତିନି ବର୍ଷ ମାଡ଼ିଚ ଯେତେବେଳେ, ପାରିବନି ବୋଲି କିଏ କହିଲା ? ଖାଲି ଲୋକେ ତୁମକୁ ହାକିମ ବୋଲି ମାନିଲେ ହେଲା ।

ସୁମିତ୍ରା

ହଉ, ଥାଉ, ଥାଉ, ତୁମେ ଖାଇନ କିଛି, ଭୋକ ହେବଣି । ଏଇନେ ପୁଣି ବାବୁଲି ଆଉ ଗୀତା ଆସି ପହଞ୍ଚିବେ । ତୁମେ ବସ, ମୁଁ ଦୀନୁକୁ ପଠାଇ ଦିଏ-। (ଟିକକ ପରେ ଦୀନୁ ଓ ତା ପଛେ ପଛେ ସୁମିତ୍ରା ଆସି ପହଞ୍ଚିଲେ–ହାତରେ ଜଳିଖିଆ ଓ ଚା)

ସୁକାନ୍ତ

ଦୀନୁ ! ନେ, ଏ ଟେଲିଗ୍ରାମ୍‌ଟା ଡାକଘରେ ଦେଇଦେବୁ । ହଁ, ଆସିଲାବେଳେ ବାବୁଲି ଆଉ ଗୀତାଙ୍କୁ ନେଇ ଆସିବୁ । ଆଚ୍ଛା ଡ୍ରାମା ଗୋଟେ କଅଣ କରିବେ ଯେ, ପିଲାଗୁଡ଼ାକ ଦଶଟାରେ ଯାଇ ସଞ୍ଜ ସରିକି ଫେରିବେ ?

ଦୀନୁ

ଆଜ୍ଞା ଦିଅନ୍ତୁ । ମୁଁ ଫେରିବା ବେଳେ ଗୀତା ମା ଆଉ ବାବୁଲି ବାବୁଙ୍କୁ ଘେନି ଆସିବି । (ଦୀନରୁ ପ୍ରସ୍ଥାନ)

ସୁମିତ୍ରା

ନିଅ, ନିଅ (ପାଣି ଗ୍ଳାସ ବଢ଼ାଇ) ମୁହଁ, ହାତ ଧୋଇ ଟିକିଏ ଜଳଖିଆ ଖାଇଦିଅ ତ । ଅନେକ ଡେରି ହୋଇଗଲା । ଏଣେ ଚା’ଟା ବି ଥଣ୍ଡା ହୋଇ ଯାଉଛି ।

ସୁକାନ୍ତ

ତୁମେ ଆସ ସୁମିତ୍ରା, ମୋ ସାଙ୍ଗେ ଟିକେ ଖାଇନିଅ ।

ସୁମିତ୍ରା

ଆଜି ତ ଭାରି ଦରଦ ଦେଖୁଛି ମୋ ପାଇଁ ! କୋଉଦିନ ତୁମ ସାଙ୍ଗରେ ଭଲା....

ସୁକାନ୍ତ

ସେଇଟା ତୁମର ଦୋଷ । ମୋ ଡାକିବାରେ ମୁଁ ତ କେବେ ହେଳା କରିନି । ହେଲେ ତୁମେ କିନ୍ତୁ ସବୁବେଳେ ଅବହେଳା କରି ଆସିଛ । ସତରେ ସୁମିତ୍ରା, ତୁମ ପରି ଏକ ଶିକ୍ଷିତା ସୁଗୃହିଣୀ ପାଇ ମୋ ଜୀବନ ଧନ୍ୟ ହୋଇଛି । ସବୁରି ତୁଣ୍ଡରେ ତୁମର ରୂପର ପ୍ରଶଂସା । ରୂପ ସାଙ୍ଗକୁ ତୁମର ସେବାପରାୟଣତା, ସମସ୍ତଙ୍କ ପ୍ରତି ସୌଜନ୍ୟତା, ସ୍ନେହପ୍ରବଣତା ଓ ସହାନୁଭୂତିଶୀଳତା ଦେଖି ମୁଁ କଣ ଭାବେ, ଜାଣ ? ମୁଁ ଭାବେ ମୋ ପରି ଭାଗ୍ୟବାନ ଓ ଆମ ପରିବାର ପରି ଏକ ସୁଖୀ ପରିବାର ବୋଧହୁଏ ହଜାରକେ ଗୋଟେ ଅଧେ ଥିବ କି ନାହିଁ ସନ୍ଦେହ । ଏହା କଣ ସ୍ରଷ୍ଟାଙ୍କର ଆମ ପାଇଁ ଶ୍ରେଷ୍ଠ ଆଶୀର୍ବାଦ ନୁହେଁ, ସୁମିତ୍ରା ?

ସୁମିତ୍ରା

ଥାଉ, ଥାଉ, ତୁମେ ଆଉ ଏତେଗୁଡ଼ାଏ ପ୍ରଶଂସା କରନି । ମୁଁ ତ କାହାର ନିନ୍ଦା ପ୍ରଶଂସାକୁ କେବେ ଅପେକ୍ଷା କରେନି । ଜଣେ ବିବାହିତା ନାରୀ ହିସାବରେ ସ୍ୱାମୀ, ପୁଅ, ଝିଅ ଏମାନଙ୍କ ପ୍ରତି ମୋର ଯାହା କର୍ତ୍ତବ୍ୟ, ତା କେବଳ କରିଯାଉଛି । ଆଉ ଅଧିକ କିଛି ତ ମୁଁ କରୁନି !

ସୁକାନ୍ତ

(କଥାର ଗତି ବଦଳାଇ) ଯାହାହେଉ, ବିଚରା ମହେନ୍ଦ୍ର ବାବୁଙ୍କର ଏକ ବଡ଼ ଚିନ୍ତା ଦୂର ହେଲା । ନାନା ଜପ ତପ, ଉପାସ, ବ୍ରତ ଓ ଆରାଧନା ତାଙ୍କର ଫଳବତୀ ହେଲା । ଆଉ ହେଉ ନ ହେଉ, ତାଙ୍କର ଏକ ବଡ଼ ଅଭାବ ସବୁଦିନ ପାଇଁ ପୂରଣ ହୋଇଗଲା ।

ସୁମିତ୍ରା

ମହେନ୍ଦ୍ର ବାବୁଙ୍କର ଯାହା ହେଉ, ମନୋରମା କିନ୍ତୁ ବହୁ ନିନ୍ଦା, ପରାଭବ ଓ ଗଞ୍ଜଣାରୁ ରକ୍ଷା ପାଇଲା । ବିବାହର ଦଶ ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ତା କୋଳକୁ ନ ଆସିବାରୁ ସେ ଶାଶୁ ଶଶ୍ୱୁରଙ୍କଠାରୁ ଯାହା ଗାଳି, ଅପମାନ ସହିଚି, ତା କଣ କିଏ ବରଦାସ୍ତ କରିବ ? ବଡ଼ ପୁଅ ଓ ବଡ଼ ବୋହୂ ସେ ଦୁହେଁ । ଶାଶୁ ଶଶ୍ୱୁରଙ୍କର ଗଞ୍ଜଣା ଓ ଟାହି–ଟାପରାରୁ ସେ ନିଷ୍କୃତି ପାଇଲା-। ତାର ନାରୀ ଜନ୍ମ ସାର୍ଥକ ହେଲା ।

ସୁକାନ୍ତ

ଶୁଣିଥିଲି, ସନ୍ତାନ ଆଶାରେ ସେ ବହୁ ଦିଅଁ ଦେବତାଙ୍କ ପାଖକୁ ଯାଇଛନ୍ତି ଓ ନାନା କଥା ଯାଚିଛନ୍ତି ।

ସୁମିତ୍ରା

ହଁ, କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ । ତାଙ୍କର ତ କୌଣସି କଥାରେ କିଛି ଅଭାବ ନ ଥିଲା । ମହେନ୍ଦ୍ର ବାବୁ ଖୁବ୍‌ ବଡ଼ଘରର ପିଲା । ମନୋରମା ମଧ୍ୟ ସୁପ୍ରସିଦ୍ଧ ଓକିଲ ରାଜୀବ ବାବୁଙ୍କର ଏକମାତ୍ର କନ୍ୟା । ତାଙ୍କର ଅଭାବ କଣ ? ଓଡ଼ିଶାର ତ ଆଉ କୌଣସି ଦେବଦେବୀ ମନ୍ଦିର ତାଙ୍କର ବାକି ନାହିଁ । ତା ଛଡ଼ା ଓଡ଼ିଶା ବାହାରକୁ ମଧ୍ୟ ସେ ନ ଯାଇ ଛାଡ଼ିନାହାନ୍ତି ।

ସୁକାନ୍ତ

ତୁମେ ଯାହା କୁହ ସୁମିତ୍ରା, ପୁରୀ ଜିଲ୍ଲା ବେଗୁନିଆ ପାଖ ଅଟ୍ରିଠାରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଦିନ ସନ୍ତାନ ଆଶାରେ ପାଣିରେ ବୁଡ଼ି ଗୁଆ ଖୋଜୁଥିବା ଦୃଶ୍ୟ ଯେ ଦେଖିଛି, ସେ ଜାଣିବ ନାରୀ ସନ୍ତାନ ପାଇଁ କିପରି ପାଗଳିନୀ । ମାଘ ମାସର ହାଡ଼ଥରା ଶୀତରେ ସନ୍ତାନକାମୀ ଶହ ଶହ ସ୍ତ୍ରୀଲୋକ ସେ କୁଣ୍ଡ ଭିତରୁ ଯାହା ପାଆନ୍ତି, ତରତରରେ ଆଖିବୁଜି ଗିଳିପକାନ୍ତା । ହିନ୍ଦୁ ନାରୀର ଅଟଳ ବିଶ୍ୱାସ ରହିଛି ଏଥିରେ । ତୁମର ଏ ବିଷୟରେ ଧାରଣା କଣ କହିପାରିବ ସୁମିତ୍ରା ?

ସୁମିତ୍ରା

ଏଥିରେ ନିଶ୍ଚୟ ସତ୍ୟତା ରହିଛି । ସବୁ ତୀର୍ଥ ସାରି ମନୋରମା ମଧ୍ୟ ଏଠାକୁ ଯାଇଥିଲା । କୁଣ୍ଡରୁ କଣ ପାଇ ଏକା ନିଃଶ୍ୱାସକେ ତାହା ଗିଳିଥିଲା, ସେ ଅବଶ୍ୟ କାହା ଆଗରେ ପ୍ରକାଶ କରିନି । ତେବେ ଦେଖାଗଲା ଯେ, ତା ପରେ ପରେ ସେ ହେଲା ଗର୍ଭବତୀ । ସନ୍ତାନ ପାଇଁ ନାରୀ ଅନ୍ତରର ବେଦନା ନାରୀ ଛଡ଼ା ଆଉ କେହି ବୁଝିବେ ନାହିଁ । ଜାୟା ଓ ଜନନୀ ରୂପେ ସେ କାଳ କାଳ ଧରି ପୁରୁଷର ସେବା କରି ଆସିଛି । ହାତରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୂର ପିନ୍ଧି, ଜାୟା ହେବାର ଗୌରବ ଲାଭ କରି ଯେ ଜନନୀ ଆସନରୁ ବଞ୍ଚିତା ହୁଏ, ତାର ଜୀବନ ବ୍ୟର୍ଥ ହୁଏ । ଏ କଥା ବୋଧେ କେହି ଅସ୍ୱୀକାର କରିବେନି ।

 

 

(ଏତିକିବେଳେ ଦୀନୁ ଆସିଛି–ସଙ୍ଗରେ ବାବୁଲି ଓ ଗୀତା)

ସୁକାନ୍ତ

(ଦୁହିଙ୍କୁ କୋଳକୁ ଟାଣି ଆଣି) ବାବୁଲି, ଗୀତା ! କଣ ତୁମର ଏତେ ଡେରି ହେଲା, ଶୁଣେ ?

ଗୀତା

ଆମର ଡ୍ରାମା ହବ, ବାବା । ତୁମେ ଦେଖିଯିବ ଯେ ! ବୋଉବି ଯିବ । ଦେଖିବ, ଆମର ଡ୍ରାମା କେମିତି ଫାଷ୍ଟକ୍ଳାସ୍‌ ହେବ ।

 

 

(ସୁକାନ୍ତ ଓ ସୁମିତ୍ରା ପରସ୍ପରକୁ ଚାହିଁ ହସୁଥିଲା ବେଳେ)

 

 

(ପରଦା)

 

ଦ୍ୱିତୀୟ ଦୃଶ୍ୟ

 

[ଷ୍ଟେନୋଗ୍ରାଫର ରାଧାଗୋବିନ୍ଦ ବାବୁଙ୍କ ଘର । ପରଦା ଉଠିବା ବେଳକୁ ଦେଖାଗଲା–ସୁମିତ୍ରା ଓ ଚାରୁ କଥାବାର୍ତ୍ତା ହେଉଥିଲେ । ଦୁହିଙ୍କର ମୁହଁ ହସ ହସ । ଚାରୁ ସୁମିତ୍ରାଙ୍କର ସମ୍ପର୍କୀୟା ଭଉଣୀ ।]

ଚାରୁ

ସୁମି ଅପା ! ଆଜି କେତେ ଦିନକେ ଟିକିଏ ମନେ ପଡ଼ିଗଲା । କଣ ବାଟ ଭୁଲି ଚାଲିଆସିଲ ନା କଣ ?

ସୁମିତ୍ରା

ନାଇଁ ମ ଚାରୁ, ସବୁବେଳେ ତୋ କଥା ମନେପଡ଼େ । ହେଲେ ବେଳ କୋଉଠି ମିଳୁଛି ? ବାବୁ ତ ମାସକେ କୋଡ଼ିଏ ଦିନ ଗସ୍ତରେ ଯିବେ, ପିଲା ଦୁଇଟି ଯିବେ ସ୍କୁଲକୁ । ଘରଟା ଏକଦମ୍‌ ଖାଲି । ଗୋଟେ ଚାକର ଅଛି ଯେ, ତା କଥା କଣ କହିବି ଭଉଣୀ ! ନିପଟ ଓଲୁଟା । ରୋଷେଇରେ ଟିକିଏ ସାହାଯ୍ୟ କରିବାକୁ ଗୋଟେ କୁଆଡ଼ୁ ବୁଢ଼ୀ ଆଣିଲେ ଯେ, ତା ସେବା କରୁ କରୁ ମୋ ବେଳ ଗଲା । ଏଇ ତ ମୋ ସଂସାର ! ମରିବାକୁ ବେଳ ନାହିଁ । ଆସି ହେଉଛି କେଉଁଠି ? ରାଧାଗୋବିନ୍ଦ ବାବୁ କାହାନ୍ତି ? ଘରେ ନାହାନ୍ତି ନା କଣ ?

ଚାରୁ

ବଢ଼ି ଅଞ୍ଚଳକୁ ଯାଇଛନ୍ତି ଆଜିକି ସପ୍ତାହେ ହେଲା । ଆସୁ ଆସୁ ଆଉ ଚାରି ପାଞ୍ଚ ଦିନ ଲାଗିଯିବ । ଆଚ୍ଛା ଝଡ଼ି, ବଢ଼ି ହେଲା ଯେ, ସେ ଅଞ୍ଚଳ ଲୋକ ତ ଯାହା ହଇରାଣ ହରକତ ହେଲେ, ତା ସଙ୍ଗକୁ ଏମାନେ ବି ଯାଇ ଘାଣ୍ଟି ହେଉଛନ୍ତି ।

ସୁମିତ୍ରା

(ଚାରୁ ବେକକୁ ଲକ୍ଷ୍ୟ କରି) ଦେଖି, ଦେଖି ଚାରୁ, ତୋର ଏଇ ହାରଟା ! କେଡ଼େ ସୁନ୍ଦର ଦିଶୁଛି ମ ! ଏବେ ବୋଧେ କରିଛୁ ?

ଚାରୁ

ନାଇଁ ମ, ସିଏ କଲିକତା ଯାଇଥିଲେ ଗସ୍ତରେ । ସେଇଠୁ ଏଇଟା ଆଣିଛନ୍ତି ଏଇ ମାସେ ହେବ । ଏବେ ନୂଆକରି ଏ ଡିଜାଇନର ଡାୟମଣ୍ଡ ହାର ବାହାରିଥିବା ଦେଖି ଗୋଟେ ନେଇଆସିଲେ । ତାଙ୍କ ସାଙ୍ଗ ବି ଜଣେ ଅଧେ ଏଥିରୁ ଆଣିଛନ୍ତି ।

ସୁମିତ୍ରା

ଚମତ୍କାର ହୋଇଛି ସତେ ! କେତେ ଟଙ୍କାଯାଏଁ ପଡ଼ିଲା ?

ଚାରୁ

ମୁଁ ପରା ତାଙ୍କୁ ଟଙ୍କା କଥା ପଚାରିବାରୁ, କହିଲେ–ହାରଟା ପିନ୍ଧ । କିମିତି ମନଲାଖି ହୋଇଛି ଦେଖ, ଟଙ୍କାରୁ କ’ଣ ମିଳିବ ?

ସୁମିତ୍ରା

ଅନ୍ଦାଜ କେତେଯାଏଁ ହେବ ?

ଚାରୁ

ସାଇପଡ଼ିଶାରେ ଯିଏ ଦେଖୁଛି, କହୁଛି–ଡାୟମଣ୍ଡ ହାର, ଅନ୍ତତଃ ଟଙ୍କା ଦୁଇ ହଜାରଯାଏଁ ହେବ ।

ସୁମିତ୍ରା

ଆଚ୍ଛା, ଚାରୁ ! ମତେ ଟିକିଏ ଏଇଟା ଦିଅନ୍ତୁନି ? ମୁଁ ନେଇ ତାଙ୍କୁ ଦେଖାନ୍ତି ଏବଂ ମୋ ପାଇଁ ଗୋଟେ ଆଣିବାକୁ ବରାଦ କରନ୍ତି ।

ଚାରୁ

ଏଇ କଥା ତ ? ନିଅ । ଡେପୁଟି କଲେକ୍ଟର ସୁକାନ୍ତ ବାବୁଙ୍କର କଣ ପଇସାର ଅଭାବ ଅଛି ଯେ....

ସୁମିତ୍ରା

ହଉ, ଦେ । ମୋର ଏ ହାରଟା ତୁ ରଖିଥା । ଆଜି ତ କୋଡ଼ିଏ ତାରିଖ ହେଲା । ମୁଁ ତତେ ପାଞ୍ଚ ଛଅ ଦିନ ଭିତରେ ଫେରାଇଦେବି ।

ଚାରୁ

ନାଇଁ ମ ଅପା, ତୁମ ହାରଟାକୁ କଣ ବଦଳ ରଖିବି ? ଆସିବ ତ ପାଞ୍ଚ ଛଅ ଦିନ ଗଲେ । ହାର ପାଇଁ ମୁଁ କହୁନି । ମଝିରେ ମଝିରେ ଟିକିଏ ଏମିତି ମାଡ଼ିଆସୁଥିବ । ମୋ ରାଣ ଅପା, ନିଶ୍ଚୟ ଆସିବ ।

 

 

(ପରଦା)

Image

 

ତୃତୀୟ ଦୃଶ୍ୟ

 

[କେନ୍ଦ୍ରାପଡ଼ାର ବି. ଡ଼ି. ଓ. ମହେନ୍ଦ୍ରନାଥଙ୍କର ସରକାରୀ ବାସଭବନ । ବହୁ ଆଡ଼ମ୍ୱରପୂର୍ଣ୍ଣ ସାଜସଜ୍ଜା ହୋଇଛି । ମହେନ୍ଦ୍ରନାଥଙ୍କ ପୁଅର ଏକୋଇଶା ଓ ନାମକରଣ ଉତ୍ସବ ସମ୍ପନ୍ନ ହୋଇଯାଇଛି । ପରଦା ଉଠିବା ପରେ ଦେଖାଗଲା–ମହେନ୍ଦ୍ରନାଥ, ମନୋରମା, ସୁକାନ୍ତ ଓ ସୁମିତ୍ରା ଏକାଠି ବସି ଆଳାପ କରୁଛନ୍ତି ।]

ମହେନ୍ଦ୍ର

ସୁକାନ୍ତ ବାବୁ, ଆପଣ ଓ ସୁମିତ୍ରା ଦେବୀ ମୋତେ ଯେଭଳି ଭାବେ ସାହାଯ୍ୟ କଲେ, ବାସ୍ତବରେ ତାହା ଉଲ୍ଲେଖଯୋଗ୍ୟ । କିଭଳି ମୁଁ ଆପଣଙ୍କର ପ୍ରଶଂସା କରିବି, ଭାବିପାରୁନି । ଯାହା ହେଉ, ସେଥିପାଇଁ ଆପଣମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି । ଆପଣମାନଙ୍କର ଉପକାର ଶୁଝି ପାରିବି ନାହିଁ ।

ମନୋରମା

ସୁମିତ୍ରାକୁ ମୁଁ ଧନ୍ୟବାଦ ଦେବା କଥା । କାରଣ ବାଲ୍ୟକାଳରୁ ଆମେ ଦୁହେଁ ଅତି ଅନ୍ତରଙ୍ଗ ସହପାଠିନୀ ଥିଲୁ । ନିମ୍ନପ୍ରାଥମିକ ସ୍ତରଠାରୁ କଲେଜଯାଏଁ ଆମେ ଏକାଠି ଅଧ୍ୟୟନ କରିଆସିଛୁ । ଆଇ. ଏ. ପାସ୍‌ କରିବା ପରେ ଆମେ ଦୁହେଁ ଆଉ ଅଧିକ ଅଧ୍ୟୟନ କରିପାରିବା ସୁଯୋଗ ପାଇ ନ ଥିଲୁ । ସୌଭାଗ୍ୟକ୍ରମେ ଏକା ତିଥିରେ ଆମର ବାହାଘର–ପୁଣି ଦୁଇ ଜଣ ଉଚ୍ଚପଦସ୍ଥ ଓ. ଏ. ଏସ୍‌. ଅଫିସରଙ୍କ ସହିତ । ଖାଲି ଗୋଟିଏ ବିଷୟରେ ମୁଁ ପଛେଇ ଯାଇଥିଲି ।

ସୁମିତ୍ରା

ସେ ଅଭାବ ଆଜି ତୋର ପୂରଣ ହୋଇଯାଇଛି । ଏଣିକି ଟିକିଏ ହୁସିଆର; ନ ହେଲେ ପୁଣି ବର୍ଷକୁ ବର୍ଷ ଏହିଭଳି ଉତ୍ସବରେ ଯୋଗ ଦେବାକୁ ଆମକୁ ଦୌଡ଼ିବାକୁ ପଡ଼ିବ ।

 

 

(ସମସ୍ତେ ଠୋ ଠୋ ହସିଲେ)

ମନୋରମା

ପାଠ ପଢ଼ିଲାବେଳେ ତ ତୁ ଏତେ ମୁହଁଫିଟା ନ ଥିଲୁ ସୁମି ! ସୁକାନ୍ତ ବାବୁ ତତେ ଭାରି ଦୁଷ୍ଟା କରି ଦେଇଛନ୍ତି, ନୁହେଁ ? ଯାହାହେଉ, ଅନେକ ଦିନ ପରେ ସାକ୍ଷାତ–ପୁଣି ଏଭଳି ଏକ ଅବିସ୍ମରଣୀୟ ଦିନରେ । ସୁମି, ବହୁଦିନ ଯାଏଁ ଏହା ମନେ ରହିବ ।

ସୁକାନ୍ତ

ବାସ୍ତବିକ୍‌ ବଡ଼ ଆନନ୍ଦରେ ଏହି ଦିନ କେତୋଟି କଟିଲା । ବନ୍ଧୁବାନ୍ଧବ, ସାଙ୍ଗସାଥୀ, ଆତ୍ମୀୟସ୍ୱଜନଙ୍କ ଗହଣରେ ଏ ସୁଖର ଦିନଗୁଡ଼ିକ ବହୁଦିନଯାଏଁ ମନେ ପଡ଼ିବ ।

ସୁମିତ୍ରା

ଆମ ପାଇଁ ମନୁ ଓ ମହେନ୍ଦ୍ର ବାବୁ ବି ଯେତେ ତକ୍‌ଲିପ ଭୋଗ କରିଛନ୍ତି, ତାହା ମଧ୍ୟ ।

ମହେନ୍ଦ୍ର

ନା, ନା, କ୍ଷମା କରିବେ । ଆପଣମାନେ ଆଉ ମାସେ ଏଠାରେ ରହିଲେ ବି ଆମର ତିଳେମାତ୍ର ଦୁଃଖ ନାହିଁ । ବରଂ ଅସୁମାରି ଆନନ୍ଦ ମଧ୍ୟରେ ବେଳ କଟିବ ।

ସୁକାନ୍ତ

ଏ ଚାକିରୀ ଜୀବନରେ ଭାଇ ସେ ସୁଯୋଗ କେଉଁଠି ମିଳୁଛି ? ଇଚ୍ଛା ଥିଲେ ମଧ୍ୟ ଗାଁ-ଗଣ୍ଡାକୁ ବି ଟିକିଏ ଯାଇ ହେଉ ନାହିଁ ।

ମହେନ୍ଦ୍ର

ହଁ ଭାଇ, ତା ନୁହେଁ ଆଉ କଣ ? ନିଜ ଇଚ୍ଛା ଅନୁସାରେ ଆଉ ଚଳିବାକୁ ଚାରା ଅଛି ? (ଘଣ୍ଟାକୁ ଚାହିଁ) ମନୋରମା ! ଆମେ ସମସ୍ତେ ତ ଏଠି ବସିଲେ । ତେଣେ ତାଙ୍କର ଗାଡ଼ିବେଳ ହୋଇଯାଉଛି । ତୁମେ ଯା-ଚା, ଜଳଖିଆ ଟିକିଏ ପଠାଅ ।

ମନୋରମା

ହଁ, ହଁ, ମୁଁ ଯାଉଛି ।

 

 

(ଚାକର ଚା, ଜଳଖିଆ ନେଇ ଆସିଲା–ମନୋରମା ବି ଫେରିଲେ । ଗୋଟିଏ ଡିସ୍‌ରୁ ସୁମୀ ଓ ମନୁ ଏବଂ ଅନ୍ୟ ଡିସ୍‌ରୁ ମହେନ୍ଦ୍ର ଓ ସୁକାନ୍ତ ଖାଇଲେ । ପରେ ପରେ ଚା ପାନାନ୍ତେ ମହେନ୍ଦ୍ରଙ୍କ ଇଙ୍ଗିତରେ ଡ୍ରାଇଭର ସେମାନଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡ଼ିଦେଇ ଆସିବାକୁ ଗାଡ଼ି ବାହାର କଲା । ସୁକାନ୍ତ ଓ ସୁମିତ୍ରା ଯଥାକ୍ରମେ ମହେନ୍ଦ୍ର ଏବଂ ମନୋରମାଙ୍କ କରମର୍ଦ୍ଦନ କରି ବାବୁଲି ଓ ଗୀତାଙ୍କ ସହ ବିଦାୟ ନେଲେ ।)

 

 

(ପରଦା)

Image

 

ଚତୁର୍ଥ ଦୃଶ୍ୟ

 

[ସୁକାନ୍ତ ବାବୁଙ୍କ ଘର । ପରଦା ଉଠିବା ପରେ ଦେଖାଗଲା–ସୁକାନ୍ତ ବାବୁ ଚିନ୍ତାମଗ୍ନ । ମୁଣ୍ଡରେ ହାତ ଦେଇ ସେ ବାରମ୍ୱାର ଦୀର୍ଘଶ୍ୱାସ ଛାଡ଼ୁଛନ୍ତି । ସୁମିତ୍ରା ଦେବୀ ଥରକୁ ଥର ଲୁଗା କାନିରେ ଲୁହ ପୋଛୁଛନ୍ତି । କିଛି ସମୟ ନୀରବ ରହିବା ପରେ....]

ସୁକାନ୍ତ

(ଅତି ବ୍ୟଥିତ ହୋଇ) ଆଚ୍ଛା, ସୁମିତ୍ରା ! ହାରଟି କେତେବେଳଯାଏଁ ତୁମ ବେକରେ ଥିଲା ବୋଲି ତୁମେ ବିଶ୍ୱାସ କରୁଛ ?

ସୁମିତ୍ରା

କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରେ ମୁଁ ଦେଖିଛି–ହାର ଥିଲା । ତା ପରେ ଆମେ ବସରେ ବସିଲେ । ବସ୍‌ରୁ ଓହ୍ଳାଇବା ବେଳକୁ ହାର ଅଛି କି ନାହିଁ, ମୁଁ କହିପାରିବିନି । ପୁଣି ରିକ୍‌ସାରେ ଆମେ ଆସିଲେ ଘରକୁ । ଘରେ ଦେଖେ ତ ହାରଟି ମୋ ବେକରେ ନାହିଁ । କାଳେ ବେକରୁ ଖସି ଲୁଗାପଟାରେ ଲାଗିଯାଇଥିବ ବୋଲି କେତେ ଝଡ଼ାଝଡ଼ି କଲି । ମାତ୍ର......

ସୁକାନ୍ତ

ମୁଁ ତ ତନ୍ନ ତନ୍ନ କରି ବସ୍‌ ଭିତର ଖୋଜିଲି । ଡ୍ରାଇଭର ଓ ଅନ୍ୟାନ୍ୟ ଯାତ୍ରୀଙ୍କୁ ମଧ୍ୟ ପଚାରିଲି । କାହିଁ, କେହି କିଛି କହିପାରିଲେ ନାହିଁ ! ଦୈବକ୍ରମେ ୩୦୩ ନମ୍ୱର ରିକ୍‌ସା, ଯେଉଁଥିରେ ଆମେ ବସାକୁ ଆସିଲେ–ତାକୁ ବି ପଚାରିଲି । ସେ ହାର ମୋଟେ ନେଇନି ବୋଲି କାକୁତି ମିନତି ହୋଇ କହିଲା । ତେବେ ହାର ଆଉ ଗଲା କୁଆଡ଼େ ?

ସୁମିତ୍ରା

ବସ୍‌ରୁ ଓହ୍ଳାଇ ରିକ୍‌ସା ଧରିବା ପାଇଁ ଆମେ ଯେଉଁତକ ବାଟ ଚାଲି ଚାଲି ଆସିଲେ, ସେହି ଖଣ୍ଡକରେ ପଡ଼ିଯାଇଥିବ ବୋଲି ମୁଁ ବିଶ୍ୱାସ କରୁଛି ।

ସୁକାନ୍ତ

ତୁମ ବିଶ୍ୱାସ ଯଦି ସତ୍ୟ ହୁଏ, ତେବେ ସେ ହାର ଆଦୌ ମିଳିବ ନାହିଁ । କାରଣ ପ୍ରତି ମୁହୂର୍ତ୍ତରେ ଶହ ଶହ ଯାତ୍ରୀ ସେ ବାଟରେ ଯା-ଆସ କରନ୍ତି । ସାମାନ୍ୟ ଆଲୋକପାତରେ ସେଥିରେ ଥିବା ମୂଲ୍ୟବାନ୍‌ ପ୍ରସ୍ତର ଖଣ୍ଡମାନ ଆଲୋକିତ ହୋଇ ଯେ କୌଣସି ଲୋକର ଦୃଷ୍ଟି ଆକର୍ଷଣ କରିବା ଅସମ୍ଭବ ନୁହେଁ ।

ସୁମିତ୍ରା

ମୁଁ ଚାଣ୍ଡାଳୁଣୀ କାହିଁକି ତାହା ଆଣିଲି ? କି ଦୁର୍ଭାଗ୍ୟ ମୋର ! ମୁଁ କଣ କରିବି-? ହେ ଭଗବାନ ! ମତେ ଏ ବିପଦରୁ ଉଦ୍ଧାର କର ।

ସୁକାନ୍ତ

ତୁମେ ତାହା ଆଣିବାବେଳୁ ମୁଁ ତୁମକୁ ବାରମ୍ୱାର ମନା କରୁଛି, ସେଇଟି ଫେରାଇ ଦେବାକୁ । ତୁମେ କଣ ମୋ କଥା ରଖିଲ ? ମୋ ଉପଦେଶ ଯଦି ମାନିଥାଆନ୍ତ, ତେବେ କାହିଁକି ଆମେ ଏଭଳି ଏକ ଦୁରବସ୍ଥାର ସମ୍ମୁଖୀନ ହୋଇ ଥାଆନ୍ତେ ? ନିଜର ନ ଥିବା ଜିନିଷ ପରଠାରୁ ମାଗି ଆଣି ପିନ୍ଧିବାରେ ଏତେ ସଉକ କାହିଁକି ମୁଁ ତ ଜାଣି ପାରୁନି !

ସୁମିତ୍ରା

ଏ ସବୁ ପାଇଁ ମୁଁ ଦାୟୀ । ତେଣୁ ଯେ କୌଣସି ଦଣ୍ଡ ପାଇଁ ମୁଁ ପ୍ରସ୍ତୁତ ଅଛି । ମୁଁ ତ ସଉକି ଉଦ୍ଦେଶ୍ୟରେ ଆଣି ନ ଥିଲି, ତୁମକୁ ଦେଖାଇବାକୁ......

ସୁକାନ୍ତ

ଦଣ୍ଡ ଆଉ ପୁରସ୍କାରର ପ୍ରଶ୍ନ ଏଠାରେ ଉଠୁନି, ସୁମିତ୍ରା ! ବର୍ତ୍ତମାନ ପ୍ରଶ୍ନ ହେଉଛି, ମୁଁ କିପରି ରାଧାଗୋବିନ୍ଦ ବାବୁଙ୍କ ମୁହଁ ଦେଖାଇବି ? କଣ କହି ମୋର ଏ ଅକ୍ଷମଣୀୟ ଅପରାଧ ପାଇଁ କ୍ଷମା ଚାହିଁବି ? ପ୍ରାୟ ଦୁଇ ତିନି ହଜାର ଟଙ୍କାର ଏ ଭଳି ଏକ ମୂଲ୍ୟବାନ ହାର ବଦଳରେ କଣ ଦେଇ ମୁଁ ତାଙ୍କର କ୍ଷତିପୂରଣ କରିବି ?

 

 

(ଏତିକିବେଳେ ଚାକରାଣୀ ହାରା ମା ଆସି ପହଞ୍ଚିଲା)

ହାରା ମା

ସା’ନ୍ତେ, ମା’ଙ୍କୁ ଆଉ କିଛି କୁହନ୍ତୁନି ସା’ନ୍ତେ ! ଆଜିକୁ ତିନି ଦିନ ହେଲା ତାଙ୍କ ମୁହଁ ଅଧୁଆ ରହିଚି । କେତେ ନେହୁରା ହେଇ କହିଲି, ମୁଣ୍ଡିଆ ମାଇଲି, ଯାହା ହବାର ହେଇଗଲା । ଯୁଆଡ଼ୁ ହେଲେ ଟଙ୍କା ଶୁଝା ହବ । ଆପଣ ଏମିତି ବାଇଆଣୀ ପରି ହେଲେ କେମିତି ଚଳିବ ? ବାବୁ, ଦେଖୁନାହାନ୍ତି ତାଙ୍କ ରୂପ ? ଚମ୍ପାଫୁଲ ପରି ଦେହ ଆଉ ମୁହଁର ରଙ୍ଗ ଏକବାରେ କଳାକାଠ ପଡ଼ିଗଲାଣି ।

ସୁକାନ୍ତ

ମୁଁ ସବୁ ବୁଝୁଚି ହାରା ମା ! ସୁନା ହଜିଲେ ଦୋଷ, ପାଇଲେ ବି ଦୋଷ । ଠିକ୍‌ ସେହିଭଳି ଗୋଟେ ହାର ମୁଁ କେଉଁଠୁ ପାଇବି, କହିଲୁ ?

ହାରା ମା

ଏଡ଼େ ବଡ଼ ମୁଲକ ଆଉ ଏତେ ଲୋକଙ୍କର ହାକିମ ଆପଣ । ଆପଣଙ୍କୁ କୋଉ କଥା ବା ଅପୂରୁବ ହେଇଚି ? ମଣିଷ ମରିଗଲେ ତ ଲକ୍ଷେ ଟଙ୍କାର ମୁଣ୍ଡ ଯାଉଚି ସା’ନ୍ତେ, କଣ କରିବା ? ସବୁ ଏଇ କପାଳର ଦୋଷ, ସା’ନ୍ତେ ! ଆଉ ଗଲା କଥାଗୁଡ଼ାକ ଭାବନ୍ତୁନି । ବାବୁଲି ବାବୁ ଆଉ ଗୀତା ମା, ସା’ନ୍ତାଣୀଙ୍କର କନ୍ଦାକଟା ଦେଖି ଭୋକଉପାସରେ ସ୍କୁଲକୁ ଯାଉଛନ୍ତି । କାନ୍ଦି କାନ୍ଦି ସେମାନଙ୍କ ମୁହଁ, ଆଖି ଫୁଲି ଫୁଲି ରହିଛି । ବାବୁ, ଆପଣଙ୍କ ହାତ ଧରୁଚି ବାବୁ–ଚିନ୍ତା କରନ୍ତୁନି । ଆପଣଙ୍କର ଯୋଉ କ୍ଷତି ହେଇଚି, ଭଗବାନ ତାହା ଦିନେ ନା ଦିନେ ନିଶ୍ଚୟ ପୂରଣ କରିବେ । ଆଉ ମନବ୍ୟସ୍ତ କରନ୍ତୁନି । ଆପଣଙ୍କ ଦେହ ମଧ୍ୟ ଶୁଖି କଳାକାଠ ହୋଇଗଲାଣିୂ । ସା’ନ୍ତେ, ସକାଳୁ କିଛି ଖାଇନ । ଆସି ରାତି ହେଲାଣି । ଟିକିଏ ଜଳଖିଆ ଆଣିବି ?

ସୁକାନ୍ତ

ହଉ ଯା । ଆଚ୍ଛା, ସୁମିତ୍ରା ! ରାଧାଗୋବିନ୍ଦ ବାବୁଙ୍କ ଘରୁ ହାରଟି ଆଣିବାର ଆଜିକୁ କେତେ ଦିନ ହେଲା ? କେଉଁଦିନ ତାହା ତୁମେ ଫେରାଇବାକୁ କହିଥିଲ ?

ସୁମିତ୍ରା

ଆଜି ତାକୁ ଫେରାଇବା କଥା ।

ସୁକାନ୍ତ

ଗୋଟେ କାମ କରିପାରିବ, ସୁମିତ୍ରା !

ସୁମିତ୍ରା

କଣ କହୁନା !

ସୁକାନ୍ତ

ତୁମର ସବୁ ଅଳଙ୍କାର ଆଣ । ତାକୁ ବନ୍ଧା ଦେଇ ଟଙ୍କା ଦୁଇ ତିନି ହଜାର ଯୋଗାଡ଼ କରିବା । ସଙ୍ଗେ ସଙ୍ଗେ ଗୋଟିଏ ଡାଇମଣ୍ଡ ହାର ବରାଦ ନ କଲେ ଅସୁବିଧା ହେବ । କାରଣ ତାକୁ ତିଆରି କରିବାକୁ କାରିଗର ଅନ୍ତତଃ ସପ୍ତାହେ ସମୟ ନେବ । ଠିକ୍‌ ସେମିତି ଏବଂ ସେହି ଓଜନର ହାରଟାଏ ନ ହେଲେ ନ ଚଳେ । କାରିଗର କଣ ଅବିକଳ ସେମିତି ହାରଟାଏ ଗଢ଼ିଦେଇ ପାରିବ ?

ସୁମିତ୍ରା

ବକ୍‌ସି ବଜାର ଇପାରି ଗୋବିନ୍ଦ ରାମୁଲୁ ଦୋକାନକୁ ମୁଁ ଦିନେ ହାରଟିକୁ ନେଇ ଯାଇଥିଲି । ସେ କହିଲେ–ସେ ଭଳି ଡାଇମଣ୍ଡ ହାରଟାଏ କରିବାକୁ ଟଙ୍କା ଦୁଇ ହଜାର ପଡ଼ିବ ।

ସୁକାନ୍ତ

ଆଚ୍ଛା, ତୁମେ ପ୍ରସ୍ତୁତ ରହିଥାଅ । ମୋତେ ତୁମର ସବୁତକ ଅଳଙ୍କାର ଦିଅ । ହାତର ମୁଦି ଓ କାଚ ମଧ୍ୟ । ମୁଁ ଯାଇ ଆଗ ଟଙ୍କା ନେଇଆସେ । ତା ପରେ ଇପାରି ଦୋକାନକୁ ଯିବା ଓ ହାରଟିଏ ଯଥାଶୀଘ୍ର ଦେବାକୁ ବରାଦ କରିବା ।

ସୁମିତ୍ରା

ତୁମେ ଟିକିଏ ଅପେକ୍ଷା କର । ମୁଁ ସଙ୍ଗେ ସଙ୍ଗେ ଅଳଙ୍କାରତକ ନେଇ ଆସେ-

 

 

(କିଛି ସମୟ ପାଇଁ ମଞ୍ଚ ଅନ୍ଧକାର ହୋଇଗଲା–ସୁମିତ୍ରା ସବୁତକ ସୁନା ଅଳଙ୍କାର ନେଇ ଆସିଲେ । ମଞ୍ଚ ଆଲୋକିତ ହେବା ବେଳକୁ ଦେଖାଗଲା–ସୁମିତ୍ରା ସୁକାନ୍ତଙ୍କ ହାତକୁ ଅଳଙ୍କାରତକ ବଢ଼ାଇ ଦେଉଛନ୍ତି ।)

ସୁକାନ୍ତ

ଆଚ୍ଛା, ମୋର ମୁଦିତକ, ପିଲାଙ୍କର ଚେନ୍‌ ଇତ୍ୟାଦି ଯାହା ଥିଲା, ସବୁ ଦେଇଛ ତ ?

ସୁମିତ୍ରା

ହଁ, ହଁ, ସବୁ ଦେଇଛି । ମୋର ହାର, ଚାରୋଟି କାଚ, ମୁଦି, ରୁଲି ପ୍ରଭୃତି ମଧ୍ୟ ଦେଇଛି । ମୋର ବିଶ୍ୱାସ ହେଉଛି, ସବୁତକ ବନ୍ଧା ଥୋଇଲେ ନିଶ୍ଚୟ ଟଙ୍କା ହୋଇଯିବ ।

ସୁକାନ୍ତ

ଯଦି ନିଅଣ୍ଟ ହୁଏ ?

ସୁମିତ୍ରା

ହାତ ଉଧାର କିଛି ମିଳିବନି ?

ସୁକାନ୍ତ

କାହାକୁ କାହିଁକି ଧାର ଉଧାର ମାଗିବା ? ନିଅଣ୍ଟ ହେଲେ ମୋ ସାଇକେଲଟି ଓ ରେଡ଼ିଓଟିକୁ ବିକିଦେଲେ ଚଳିବନି ?

ସୁମିତ୍ରା

ଯାହା ତୁମର ଇଚ୍ଛା । ମୋ ଲାଗି ଏ ଘରର ମାନ-ସମ୍ମାନ ଇଜ୍ଜତ ସବୁ ମାଟିରେ ମିଶିଗଲା । ଶେଷକୁ ଦେହ, ମୁଣ୍ଡ ବି ଖାଲି କରିବାକୁ ପଡ଼ିଲା । (ସୁକାନ୍ତଙ୍କ ହାତ ଦୁଇଟିକୁ ଲୁହ ଛଳ ଛଳ ଆଖିରେ ଧରିପକାଇ) ମୋ ଅପରାଧ ପାଇଁ ମୋତେ କ୍ଷମା ଦିଅ । ଜୀବନରେ ଏଭଳି ଅପରାଧ ମୁଁ ଆଉ କେବେ କରିବି ନାହିଁ । ଆଜି ଶପଥ କରି କହୁଛି–ବଞ୍ଚିଥିବା ଯାକେ କୌଣସି ସୁନା ଗହଣା ପିନ୍ଧିବା ପାଇଁ ମୁଁ ଆଉ ଅଳି କରିବି ନାହିଁ । ମୋର ଏହି ପାଣିକାଚ ମୋ ହାତରେ ଚିରଦିନ ଝଟକୁ ଥାଉ–ମୋତେ ଏହି ଆଶୀର୍ବାଦ କର । (ସୁକାନ୍ତଙ୍କ ଚରଣ ତଳେ ମୁଣ୍ଡ ଲଗାଇ ପ୍ରଣାମ କରିବା)

ସୁକାନ୍ତ

(ତରତରରେ ଉଠାଇ ପକାଇ) ସୁମିତ୍ରା ! ଏଭଳି ଧକ୍‌କା ଆମେ ଆଜିଯାଏଁ ପାଇ ନ ଥିଲେ । ତୁମେ ଭାଙ୍ଗିପଡ଼ନି, ସୁମିତ୍ରା ! ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଆମ ପାଇଁ ଏହା ଭଗବାନଙ୍କର ଅଭିଶାପ ନୁହେଁ ସୁମିତ୍ରା, ଆଶୀର୍ବାଦ ।

 

 

(ପରଦା)

Image

 

ପଞ୍ଚମ ଦୃଶ୍ୟ

 

[ରାଧାଗୋବିନ୍ଦ ବାବୁଙ୍କ ବସାଘର । ସୁକାନ୍ତ ବାବୁ ସୁନା ରୂପା ସମସ୍ତ ଗହଣା ବନ୍ଧା ଦେଇ, ଦୁଇ ହଜାର ଟଙ୍କା ଆଣି, ଇପାରି ଗୋବିନ୍ଦ ଦୋକାନରେ ଅବିକଳ ପୂର୍ବର ଡାୟମଣ୍ଡ ହାର ପରି ଏକ ହାର ତିଆରି କରି ସୁମିତ୍ରାଙ୍କ ସହ ରାଧାଗୋବିନ୍ଦ ବାବୁଙ୍କ ଘରକୁ ଯାଇଛନ୍ତି । ସୁକାନ୍ତ ଓ ସୁମିତ୍ରା ବେଶଭୂଷା ଅତି ମଳିନ । ଉଭୟଙ୍କ ମୁହଁରେ ବିଷାଦର କାଳିମା ଢାଙ୍କି ହୋଇ ଯାଇଛି । ପରଦା ଉଠିବା ପରେ ଦେଖାଗଲା–ରାଧାଗୋବିନ୍ଦ ବାବୁ, ସୁକାନ୍ତ ବାବୁ ଓ ସୁମିତ୍ରାଙ୍କୁ ସ୍ନେହ ସମ୍ଭାଷଣ ଜଣାଇ ଘର ଭିତରକୁ ପାଛୋଟି ନେଉଛନ୍ତି ।]

ରାଧାଗୋବିନ୍ଦ

ଗୁଡ୍‍ ଇଭନିଂ, ସୁକାନ୍ତ ଭାଇ ! ଆରେ, ସାଙ୍ଗରେ ଅପା ଯେ !

ସୁକାନ୍ତ

(ପ୍ରତିନମସ୍କାର ଜଣାଇ) ପାଞ୍ଚ ସାତ ଦିନ ହେଲା ଆସିବୁ ଆସିବୁ ବୋଲି ଭାବୁଥିଲୁ । ସବୁବେଳେ ଇଚ୍ଛା ହୁଏ ଆସିବାକୁ; କିନ୍ତୁ ଆସି ହେଉଛି କେଉଁଠି ? ନାନା ଜଞ୍ଜାଳ, ଶେଷରେ ପୁଣି ଏକ ବଡ଼ ବିପଦରେ ପଡ଼ିଗଲୁ-

ରାଧାଗୋବିନ୍ଦ

ଆପଣ ଓ ଅପାଙ୍କ ବେଶଭୂଷା ଓ ଚେହେରାରୁ ତାହା ପରିଷ୍କାର ଜଣାପଡ଼ୁଛି । ଏକା ସାଙ୍ଗେ କଣ ଦୁହେଁଯାକ ଅସୁସ୍ଥ ହୋଇପଡ଼ିଲେ ?

 

 

(ଟିକିଏ ଉଚ୍ଚ ସ୍ୱରରେ ଚାରୁଙ୍କୁ ଡାକ ପକାଇଲେ)

ଚାରୁ

(ପ୍ରବେଶ କରି ଓ ଉଭୟଙ୍କୁ ନମସ୍କାର କରି) ବଡ଼ ସୌଭାଗ୍ୟ ମୋର ଆଜି । ଅପା ! ତୁମେ ଏମିତି କାହିଁକି ଦେଖାଯାଉଛ ? ସୁକାନ୍ତ ଭାଇ ମଧ୍ୟ-। କଣ ହୋଇଛି ତୁମମାନଙ୍କର ? ଦୁହେଁଯାକ କାହିଁକି ଏପରି ମ୍ଳାନ ଓ ବିଷର୍ଣ୍ଣ ଦେଖାଯାଉଛ ? କଥା କଣ ?

ରାଧାଗୋବିନ୍ଦ

ମୁଁ ତ ସେହି କଥା ଭାବୁଛି ।

ସୁମିତ୍ରା

ଆମମାନଙ୍କର ଦୁର୍ଦ୍ଦିନ କଥା କଣ କହିବୁ ?

ରାଧାଗୋବିନ୍ଦ

ସୁକାନ୍ତ ଭାଇ ! କ’ଣ ହୋଇଛି ଆପଣମାନଙ୍କର ?

ସୁକାନ୍ତ

ଆମେ କେନ୍ଦ୍ରାପଡ଼ା ଯିବା କଥା ତୁମେ ଜାଣିଛ । ବଡ଼ ଦୁର୍ଭାଗ୍ୟ; ତୁମ ଡାୟମଣ୍ଡ ହାରଟି ସୁମିତ୍ରା ବାଟରେ କେଉଁଠାରେ ହଜାଇ ଦେଲେ । ଅନୁରୂପ ଏକ ହାର ପାଇଁ ଆମର ସମସ୍ତ ଗହଣା ବନ୍ଧା ଦେଇ କୌଣସିମତେ ଦୁଇ ହଜାର ଟଙ୍କା ଯୋଗାଡ଼ କରି, ଇପାରି ଗୋବିନ୍ଦକୁ ବରାଦ ଦେଇ ଏ ହାରଟି ଆଣିଛୁ । ମଜୁରୀ ଓ ତିଆରି ପାଇଁ ମୋଟ ବାଇଶି ଶହ ଟଙ୍କା ପଡ଼ିଲା । (ହାରଟି ବାହାର କରି ଏଇଟିକୁ ରଖ ଓ ଆମକୁ ଋଣମୁକ୍ତ କର ।

ରାଧାଗୋବିନ୍ଦ

ସୁକାନ୍ତ ଭାଇ ! ମୋତେ ଟିକିଏ ଆଗରୁ ଆପଣ ଏ ବିଷୟରେ କାହିଁକି କହିଲେ ନାହିଁ ? ଦେଢଶ’, ଦୁଇଶ’ ଭିତରେ ଦରମା ପାଉଥିବା ଏକ ଷ୍ଟେନୋଗ୍ରାଫର ପକ୍ଷରେ ଦୁଇ ହଜାର ଟଙ୍କାର ଡାୟମଣ୍ଡ ହାର କିଣିବା କଣ ସମ୍ଭବ ? ମୋ ପକ୍ଷରେ ତାହା ଆକାଶ କୁସୁମ ସିନା ! କଲିକତା ଫୁଟ୍‌ପାଥରେ ଏକ ଫେରିବାଲାଠାରୁ ମାତ୍ର ପାଞ୍ଚଟି ଟଙ୍କାରେ ମୁଁ ତାହା କିଣିଛି ।

ସୁକାନ୍ତ ଓ ସୁମିତ୍ରା

(ଏକାସଙ୍ଗେ ବିସ୍ମିତ ହୋଇ) ଏଁ, ମାତ୍ର ପାଞ୍ଚ ଟଙ୍କା !

ରାଧାଗୋବିନ୍ଦ

ମୋତେ ବିଶ୍ୱାସ କରନ୍ତୁ–ହାରଟିର ପ୍ରକୃତ ମୂଲ୍ୟ ପାଞ୍ଚ ଟଙ୍କା । ଏଇ ସପ୍ତାହକ ମଧ୍ୟରେ ମୋର ପୁଣି କଲିକତା ଯିବାର ଅଛି । ଯଦି ସେ ଭଳି ହାର ଦରକାର, କହିଲେ ଆଉ ଦୁଇ ତିନୋଟି ଆଣିଦେବି । ରଖନ୍ତୁ, ଆପଣଙ୍କର ଏ ମୂଲ୍ୟବାନ ହାର । ମୋ ପାଖରେ ଏ ହାର ମାଙ୍କଡ଼ ହାତରେ ଶାଳଗ୍ରାମ ପରି ହେବ ସିନା !

ଚାରୁ

(ହସି ହସି) ଅପାଙ୍କ ପାଇଁ ଏ ହାର ଉପଯୁକ୍ତ ।

 

 

(ହାରଟିକୁ ସୁମିତ୍ରାଙ୍କ ବେକରେ ପିନ୍ଧାଇ ଦେଲେ)

 

 

(ମେଘ ଉହାଡ଼ରୁ ପୂର୍ଣ୍ଣମୀ ଚନ୍ଦ୍ର ହସିଉଠିଲା ପରି ସମସ୍ତଙ୍କ ମୁଖମଣ୍ଡଳରେ ପ୍ରସନ୍ନତା ଭରିଗଲା ।)

 

 

(ପରଦା)

Image